ପ୍ରବାସୀ ର ବାରମାସ
ପ୍ରବାସୀ ର ବାରମାସ
ଚଇତେ ଦେଖିଲି ଚଇତି ଘୋଡା ଲୋ
ବୈଶାଖେ ଝାମୁଯାତ
ଜ୍ୟେଷ୍ଠ ରେ ଗଲି ମୁଁ ଦୂର ବିଦେଶକୁ
ଯୋଗାଡିବା ପାଇଁ ଭାତ I
ଶ୍ରାବଣ ଆକାଶେ କଳାହାଣ୍ଡି ମେଘ
ଦେଖିଲି ଯେବେ ଲୋ ସଖୀ
ତୋ କଥାକୁ ଭାବି ମନ ଭିଜିଗଲା
ଭିଜିଗଲା ଦୁଇ ଆଖି I
ଭୋଦେଇ ଖରାର ଗୁଳୁଗୁଳି ସହି
ଅଥୟ ହେଲା ମୋ ମନ
ଦୂର ପରବାସେ ସମୟ କାଟିଲି
ଅରଜିବା ପାଇଁ ଧନ I
ଆଶିଣ ମାସରେ ସଜବାଜ ହୋଇ
ପାଳିଲି ପାର୍ବଣ ଖୁସି
ତୋଫା ଦିଶୁଥିଲା ଜହ୍ନର ଆଲୁଅ
ତୋ'କଥା ଭାବିଲି ବସି I
କାର୍ତ୍ତିକ ପରା ଲୋ ଧରମ ର ମାସ
କଲି ମୁଁ କାର୍ତ୍ତିକ ବ୍ରତ
ସକାଳ ଗାଧୁଆ ମନ ଖୁସି କଲା
ଥରାଇଲା ଦେହ ହାତ I
ଦୀପାବଳୀ ରେ ମୁଁ ଦୀପଦାନ ଦେଲି
ପୂର୍ବ ପୁରୁଷଙ୍କୁ ଭାଳି
ବଡବଡୁଆ ଙ୍କୁ ସ୍ମରଣ କରିଲି
କାଉଁରିଆ କାଠି ଜାଳି I
ଶେଷ ପାଞ୍ଚଦିନ ପଞ୍ଚୁକ ପାଳିଲି
ପ୍ରାତେଃ ଦେବ ଦରଶନ
ଶୁଦ୍ଧପୂତ ହୋଇ ବିଭୁ କଥା ଶୁଣି
ପବିତ୍ର କଲି ମୋ ମନ I
ଆମ ଗାଁ ବିଲେ ମଗୁଶୁର ମାସେ
ପାଚିଯିବ ସରୁଧାନ
ମାଣ ବସାଇ ତୁ କରିବୁ ଲୋ ସଖୀ
ଲକ୍ଷ୍ମୀଙ୍କର ଆବାହନ I
ମାଘ ମାସେ ଶୀତ ବାଘ ପରି ଆସି
ଥରାଇବ ତୋର ଦେହ
କମ୍ବଳ ଭିତରେ ମୋ କଥାକୁ ଭାବି
ଢାଳିବୁ ନାହିଁ ଲୋ ଲୁହ I
ଫଗୁଣ ଆସିଲେ ମଳୟ ବହିବ
ମନରେ ଲାଗିବ ଡେଣା
ମୋ ଅଭାବପଣ ଭାବିବୁ ନାହିଁ ଲୋ
ମନ କରିବୁନି ଉଣା I
ଫଗୁଣେ ଖେଳିବି ତୋ ସହିତ ହୋଲି
ଦୂର ହେବ ତୋର ବ୍ୟଥା
ଦୋଳ ଯାତରା କୁ ଗାଁ'କୁ ଫେରିବି
ଦେଉଛି ଆଜି ମୁଁ କଥା I