ବୋଉ
ବୋଉ
ଦୁନିଆଁ ପୃଷ୍ଠରେ ଭୂମିଷ୍ଟ ହୋଇ ମୁଁ
ଡାକ ଦେଲି ଯେବେ କୁଆଁ
ତା କୋଳକୁ ଟେକି ନେଇଥିଲା ବୋଉ
ଦେଇ ତା ଅମୃତ ଛୁଆଁ I
ସ୍ନେହ ସୋହାଗର ଅଭୟ ଛାୟାରେ
ଜୀବନ ବିତିଲା ମୋର
ବୋଉର କୋଳଟି ନିର୍ଭୟ ଆଶ୍ରୟ
ନଥାଏ କାହାକୁ ଡର I
ତା ସ୍ନେହ ଡୋରୀରେ ବାନ୍ଧି ରଖିଥିଲା
ବଢିଲି ମୁଁ ଧିରେ ଧିରେ
ନିଜେ ସେ ଉପାସ ରହିଯାଏ ସିନା
ମୋ ପେଟକୁ ଆଗ ଭରେ I
ବାଲ୍ୟକାଳ ଗଲା କୈଶୋର ବି ଗଲା
ଯୌବନ ଯାଇଛି ବିତି
ଦୁଃଖ ବୋଲି କିଛି ଜାଣିନି ଏଯାଏ
ପାଇଛି ବୋଉଠୁ ଶକ୍ତି I
ଏବେବି ତା କାନି ପୋଛିଦିଏ ଯେବେ
ମୋ ମୁହଁରୁ ଶ୍ରମଝାଳ
ତା ମହାନତାରେ ମଥା ନଇଁଯାଏ
ଓଦା ହୁଏ ଆଖିତଳ I
ବୋଉର ତୁଳନା କରି ହୁଏନାହିଁ
ମର୍ତ୍ତ୍ୟର ସେ ଶ୍ରେଷ୍ଠଦେବୀ
ତା ଆଶିଷ ଟିକେ ମଥାରେ ଧରି ମୁଁ
ଏ ସଂସାରୁ ପାରିହେବି I