ଚଳଚ୍ଚିତ୍ର
ଚଳଚ୍ଚିତ୍ର
ଜୀବନର ଚଉହଦୀ
ଦେଖିବାକୁ ନଥିଲା ମୋ ବେଳ
ଆଗେ ଆଗେ ଧାଉଁଥିଲି
ପଛେ ପଛେ ଥିଲା ମହାକାଳ I
ଝୁଣ୍ଟି ଝୁଣ୍ଟି ପଡୁଥିଲି
ଆହା ପଦେ ପଡିଲାନି କାନେ
ଆଖିରେ ଶ୍ରାବଣ ଥିଲା
ତେଜ ଟିକେ ନଥିଲା ବଦନେ I
ନିଶାର୍ଦ୍ଧେ ପେଚାର ଡାକ
ଘାରୁଥିଲା ଅଶରିରୀ ଭୟ
କଣ୍ଟକିତ ଯାତ୍ରାପଥ
ଗିରି ଶୀର୍ଷେ ରଖିଥିଲି ଲୟ I
ନିଃଶ୍ୱାସ ମୋ ଚାଲୁଥିଲା
ସତେ ଅବା ଅଣଚାଷ ବାଆ
ଶୂନଶାନ ଯାତ୍ରାପଥେ
କେହିହେଲେ ନଥିଲେ ମୋ ସାହା I
ଅଳ୍ପଦୂରେ ଦିଶୁଥିଲା
ଶ୍ୟାମଳିମା ସବୁଜ ଅରଣ୍ୟ
ସେ ଅରଣ୍ୟେ ରୂପା ଜହ୍ନ
ଦେଖି ମୋର ଆଖି ହେଲା ଧନ୍ୟ I
ଅନୁଭବ କରୁଥିଲି
ତୁଣ୍ଡେ କିଛି ପାରିଲିନି କହି
ବିଚିତ୍ର ଭାବନା ରାଜ୍ୟେ
ଦୃଷ୍ଟିଶକ୍ତି ଦେଲି ମୁଁ ହଜାଇ I
ଅନ୍ଧଟିଏ ପାଲଟିଲି
ଆଖିରେ ମୋ ନିବିଡ ଅନ୍ଧାର
ଜୀବନର ଯାତ୍ରାପଥ
ସୁଖ ଆଉ ଦୁଃଖର ସମ୍ଭାର I
ନିରବେ ବସି ମୁଁ ଆଜି
ଖୋଲିଦେଇ ମନର କବାଟ
ଅବିସ୍ମୃତ ସ୍ମୃତିର ଭିତରୁ
ସାଉଁଟୁଛି ରଙ୍ଗଭରା ସବୁ ଚିତ୍ରପଟ I
ଚଳଚିତ୍ର ଦୃଶ୍ୟପରି
ସବୁଦୃଶ୍ୟ ଆଖିଆଗେ ନାଚିନାଚିଯାଏ
କେତେବେଳେ ହସଦିଏ
କେବେ ଆଖି ଲୁହେ ଭରିଦିଏ I
ଏମିତି ଚାଲିବ ସବୁ
ଦିନ ସରି ରାତିଯିବ ହୋଇ
ନାଟକର ଶେଷ ଦୃଶ୍ୟ
ଶ୍ମଶାନରେ ଜଳିବ ମୋ ଜୁଇ I