STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଭିଜା ଭିଜା ଖରା

ଭିଜା ଭିଜା ଖରା

1 min
168

ରାତି ଯାକ କଡ଼ ଲେଉଟାଇବାର କ୍ଳାନ୍ତିରେ

ଭଙ୍ଗାସ୍ୱପ୍ନ ସବୁର ଛାତିଥରା ଅବଶୋଷରେ

ଓ ଜଳି ଯାଇଥିବା ଆଶା ମାନଙ୍କର ପାଉଁଶ ଗଦାରେ

ଛଟପଟ ହେଉଥିବା ଜୀବନର ଆଖିରେ

ଜକେଇ ଆସେ କୋହଭରା କାକର

ଓ ଆଖିପତାରେ ଲାଖି ରହିଥିବା କେଇବୁନ୍ଦା

ବାକିଆ ଯନ୍ତ୍ରଣାରେ ଭିଜିଯାଏ ସକାଳର ଖରା। 


ଏଇ ସଜ ସଜ ଫେରିଥିବା

ଅସମାହିତ ଦ୍ଵନ୍ଦର ଘୁର୍ଣ୍ଣିବାତ୍ୟାଟିଏ

ଛାଡ଼ି ଯାଇଛି ଅଜସ୍ର ପ୍ରଶ୍ନବାଚୀର

ନିରୁତ୍ତର ଲବଣାକ୍ତ ଦାଗମାନ

ଆଖି ଓଠ ହାତ ପାଦ ଓ ହତୋତ୍ସାହିତ ଛାତିରେ

ଯନ୍ତ୍ରଣାର ଗୁରୁଗୁରୁ ଅନୁଭୂତି ଛାଡ଼ି

ସେଇ ମାଟିଆ ଦାଗରୁ ଝରୁଥିବା

ଅଠାଳିଆ ଧୂସର ରକ୍ତରେ ଭିଜିଯାଏ ସକାଳର ଖରା। 


ଏଇ ଚାହୁଁଚାହୁଁ ମୁହଁ ଲୁଚେଇ ଚାଲିଗଲା

ନିଷ୍ଠୁର ଲୁଟେରାଟା ପାହାନ୍ତି ଅନ୍ଧାରେ

ଲୁଟିନେଇ ଅର୍ଜିଥିବା ଆତ୍ମସମ୍ମାନକୁ

ରାତିର ପାପସବୁର କଳା ଦାଗ ଛାଡ଼ି

ଶୋକ ଜର୍ଜରିତ ଓ କ୍ରୋଧ ଜର୍ଜରିତ ଅବଶ ଆତ୍ମାରେ

ସେଇ ହାରିଯାଇଥିବା ପୌରୁଷ ଦେହରୁ

ବୋହୁଥିବା ଦୋଷୀପଣର ଝାଳରେ ଭିଜିଯାଏ ସକାଳର ଖରା।


ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ

ଏକ ପ୍ରାପ୍ତିର ପୂର୍ଣ୍ଣିମା ବି ଆସେ

ପୂର୍ଣ୍ଣତାର କ୍ଷଣସ୍ଥାୟୀ ମହୋତ୍ସବ ଆଣି

ଜମାଟବନ୍ଧା ତୁଷାରର ଉତ୍ତପ୍ତ ଜ୍ବଳନ ପରେ

ଚନ୍ଦନ ଛାଇରୁ ଶୁଭେ ବସନ୍ତର ମଳୟ ସଙ୍ଗୀତ

ତାରାର ଝିଲମିଲ କାହାଣୀ ଭିତରେ

ଗୀତ ଗାଏ ସବୁ କିଛି ପାଇ ଯାଇଥିବା ଉତଫୁଲିତ ଖଦ୍ୟୋତ

ବ୍ରାହ୍ମମୁହୂର୍ତ୍ତର ଶୀତ ସ୍ନାନ ପରେ

ଏକ ଆନନ୍ଦମୟ ଶାନ୍ତିଧାରାରେ ବି ଭିଜେ ଅନେକ ସକାଳର ଖରା।



Rate this content
Log in

Similar oriya poem from Abstract