ଗ୍ରୀଷ୍ମ ହେ
ଗ୍ରୀଷ୍ମ ହେ
ଗ୍ରୀଷ୍ମ ହେ ତୁମେ ବିଷୁବ ରେଖାରୁ
ଅବତରି ଆସ ଧୀରେ,
ନବବର୍ଷର ଏ ଆନନ୍ଦ ମୁହୂର୍ତ୍ତେ
ଜଳନାହିଁ ଆଉ ଖରେ।
ତୁମ ପାଇଁ ଦେଖ କେତେ ଆୟୋଜନ
ସଂକ୍ରାନ୍ତିର ଏ ବେଳାରେ,
ନହୁଅ ଉତ୍ତପ୍ତ ହୋଇ ଶାନ୍ତ ଚିତ୍ତ
ଆସ ମୃଦୁ ଉଷ୍ମତାରେ।
ବର୍ଷର ପ୍ରଥମ ଶାସନ ମୁକୁଟ
ଧରିଅଛ ବୋଲି ଶିରେ,
ନକର ତୁମର ଅହଙ୍କାର ପୁର୍ତ୍ତି
ନିରୀହ ପ୍ରଜାଙ୍କ ପରେ।
ଅଜାଡ଼ି ଦିଅନା ତୁମ ତୃଷ୍ଣା ଯେତେ
ତୃଷିତ ଏ ଧରା ପରେ,
ନବ ପଲ୍ଲବିତ ପ୍ରକୃତି ନହେଉ
ଭୟଭୀତ ତୁମଠାରେ।
ନ ଦେଖାଅ ତୁମ ଉଗ୍ର ରୂପ ଆଉ
ଆଦ୍ୟ ୠତୁ ହେ ଗ୍ରୀଷମ,
ଜଳ ବିନା ଏଠି ନ ଘଟୁ ଆତଙ୍କ
ବୃଦ୍ଧି କରନାହିଁ ଉଷ୍ମ।
>
ମୃଦୁ ଉଷ୍ମତାର ଶୁଷ୍କ ସମୀରଣେ
ହରିନିଅ ଆଳସ୍ୟତା,
ତୁମ ଆଗମନେ ନୂତନ ଉମଙ୍ଗେ
ଜାଗି ଉଠୁ ଚଞ୍ଚଳତା।
ତୁମ ଆମନ୍ତ୍ରଣେ ମେଘମାଳା ନଭେ
ରଚନ୍ତୁ ମହା ମେଳଣ,
ତୁମ ସର୍ଜନାରେ ପରିପୁଷ୍ଟ ହୋନ୍ତୁ
ଓଦା ଆଷାଢ଼ ଶ୍ରାବଣ।
ନବ ଶତାବ୍ଦରେ ଉତ୍ତର ଗୋଲାର୍ଦ୍ଧେ
ଚଳନ୍ତୁ ହେ ସୂର୍ଯ୍ୟଦେବ,
ନାଶ ହେଉ ଯେତେ ରୋଗ ସୃଷ୍ଟିକାରୀ
ଜୀବାଣୁଙ୍କ ପ୍ରାଦୁର୍ଭାବ।
ତୁମ ଆଲୋକରେ ପ୍ରକାଶିତ ହେଉ
ନବପ୍ରଭା ଜୀବନର,
ମେଷ ଚଳନର ଏ ମହା ପରବରେ
ଭାଗ୍ୟ ହେଉ ସୁଖକର।
ଗ୍ରୀଷ୍ମ ହେ ଆସ ନ ହୋଇ ବିମୁଖ
ସଞ୍ଚରି ଯାଅ ହୃଦରେ,
ମନ ପ୍ରାଣେ ଜାଗୁ ନବ ଉନ୍ମାଦନା
ଭରି ଉଠୁ ଆମୋଦରେ।