ସ୍ନାନ ପୂର୍ଣ୍ଣିମା
ସ୍ନାନ ପୂର୍ଣ୍ଣିମା
ସ୍ନାନ ମଣ୍ଡପରେ ଗହଳି ଲାଗିଛି
ଦେବ ସ୍ନାନ ପୂର୍ଣ୍ଣିମାରେ
ଭାଇଭଉଣୀଙ୍କୁ ସଂଗତରେ ନେଇ
ଜଗା ବିଜେ ପହୁଣ୍ଡିରେ ।
କର୍ପୁର,ଚନ୍ଦନ,ଆଗୁରୁ,ଧୂପରେ
ବଡଦାଣ୍ଡ ମହକଇ
ଶହେଆଠ ଗରା ପୂର୍ଣ୍ଣ କଳସରେ
ସ୍ନାହାନ କରିବେ ସାଇଁ ।
ସ୍ନାନସାରି ନେବେ ହାତୀବେଶ ପୁଣି
ଦର୍ଶନରେ ନେତ୍ର ଧନ୍ୟ
ବର୍ଷକରେ ଥରେ ଏ ଶୁଭ ଲଗନ
ଅରଜିବା ପାଇଁ ପୁଣ୍ୟ ।
ଯେତେ ବାଧାବିଘ୍ନ ଆସୁ ସଂସାରକୁ
ଚକାଆଖି ଆମ ସାହା
ଭକ୍ତଙ୍କୁ ସୁରକ୍ଷା ଦେବାପାଇଁ ସିନା
ପ୍ରସାରନ୍ତି ଚଉବାହା ।
ବଡ଼ଦାଣ୍ଡେ ପାଦ ନପଡୁ ହେ ସାଇଁ
ଦୂରେ ଦେଖୁ ତୁମ ଛବି
ତୁମ ପାଇଁ ମନ ସଦା ଝୁରୁଥାଉ
ତୁମ ରୂପ ଅନୁଭବୀ ।
ଗୁହାରି ଏତିକି ଶୁଣିବହେ ନାଥ
ବିପତ୍ତି ଏଡାଇ ଦେବ
ବଡ଼ଦାଣ୍ଡେ ପୁଣି ଗହଳି ଲାଗିବ
ତୁମ ସାଥେ ଭେଟ ହେବ ।
ଭଲରେ ଥାଅହେ କାଳିଆ ସାଆନ୍ତ
ସୁସ୍ଥ ରହୁ ଦେହ ମନ,
ଅଣସରୁ ଆସି ରଥପରେ ବସି
ଦେଉଥାଅ ଦରଶନ ।
