ପ୍ରବଚନ
ପ୍ରବଚନ
ଯେଉଁଠି ବି ଦେଖ ସେଇଠି ବି ଭଲ
ଚାଲି ଅଛି ପ୍ରବଚନ
ସତ ମିଛ ଯୋଡି କହୁ ଥାନ୍ତି କେତେ
କରୁଥାନ୍ତି ପ୍ରହସନ ।
ସତ୍ୟତା ସେଥିରେ କେତେ ଥାଏ ଭଲା
ସେମାନଙ୍କୁ ତାହା ଜଣା
ନିରୀହ ଜନତା ବାଇ ହେଇ ବୃଥା
ହେଇଥାନ୍ତି ବାଟ ବଣା ।
ଏମେଲ ଆସନ୍ତି ଗାଆଁ ମନ୍ଦିରକୁ
ସାଥେ ଧରି କୁଜି ନେତା
ଘରେ ଘରେ ପ୍ରବଚନ ଦେଇ ଥାନ୍ତି
ଆମର ଚାମଚ ନେତା ।
କହନ୍ତି ପୁଡିଆ ଦିଆହେବ ଚାଲ
ଆସନ୍ତି ଆମ ଏମେଲ
ଘର ମିଳିଯିବ ଭତ୍ତା ପାଇଯିବ
ତାଙ୍କ ପାଖକୁ ଯେ ଚାଲ ।
ନେତା ପ୍ରବଚନ ଶୁଣିଣ ଜନତା
ପାଖ ମନ୍ଦିରକୁ ଗଲେ
ଲୋକ ଭିଡ ଦେଖି ଏମେଲ୍ ଆମର
ବାଃ ବାଃ ଉପାଧି ଦେଲେ ।
ପୁଡିଆକୁ ଦେଲେ ଲୋକ ଦେଖି ଦେଖି
ଶୁଣିଲେ ସେ ପ୍ରବଚନ
ଯାହା ପ୍ରବଚନ ଦେଲେ ସବୁ ବୃଥା
କାମରେ ଥିଲା ସେ ଶୂନ ।
ସରପଞ୍ଚ ବାହାଦୂର ମାରି ନେଲେ
ଲୋକବଳକୁ ଦେଖାଇ
ଧମକ ଚମକେ ନାଲି ଆଖି ଦେଖି
ସବୁ ଗଲେ ତୁନି ହେଇ ।
ପାଇଖାନା ଦେଲେ କାନ୍ଥ ଭୁଷୁଡିଛି
ନଜର ନାହିଁ ସେଠିକି
ସରକାର ଏତେ ଟଙ୍କା ଦେଉଅଛି
ବୁଝି ହେଉନି କାହିଁକି ?
ଗ୍ରାମେ ଗ୍ରାମେ ବାସନ ଯେ ମାଜିବାର
ତିଆରି ପକ୍କା ଚାଲିଛି
କାହାକୁ ଦିଟା କାହାକୁ ଚାରିଟା
କାହାର ନାମ ହଜିଛି ।
କହିଲା ବେଳକୁ କହନ୍ତି ଆମର
ସରପଞ୍ଚ ନିଜ ଲୋକ
ଆମକୁ ନ ମିଳି ତୁମକୁ ମିଳିବ
କେମିତି ଭାବୁଛ ଧିକ୍ ।
ରାଜନୀତି ଖେଳ ପ୍ରବଚନ ଭଲ
ସତେକି ସେମାନେ ହିରୋ
ଭଦ୍ର ପୋଷାକର ଖୋଳପା ଭିତରେ
ଥାଆନ୍ତି ସେ ପକ୍କା ଚୋର ।
ମିଛ କଥା କହି ଲୋକଙ୍କୁ ଭଣ୍ଡେଇ
କରନ୍ତି ଠକାମୀ କେତେ
ପ୍ରବଚନ ଦେବା ଭୁଲନ୍ତିନି ଜମା
କହନ୍ତି ଯାହାକୁ ଯେତେ ।
ନେତା ପ୍ରବଚନ ଶୁଣିବାର ପାଇଁ
ଯାଆନ୍ତି ନି କେହି ସତେ
ମଦ ମାଂସ ଟିକେ ଖାଇବାର ପାଇଁ
ବାଇକ୍ ଗଡାନ୍ତି କେତେ ।
ରାଜନୀତି ପ୍ରବଚନ ଏବେ ଥାଉ
ଧର୍ମ ପ୍ରବଚନ ଶୁଣ
ଧର୍ମର ନାମରେ କଳଙ୍କ ଭରନ୍ତି
କେତେ ସାଧୁ ସନ୍ଥ ଗଣ ।
କହନ୍ତି ପ୍ରକାରେ କରନ୍ତି ପ୍ରକାରେ
ଲୋକ ଦେଖାଣିଆ ସେହି
ଟିଭି ନାଚ ଠାରୁ ଦୂରେ ରୁହ କହି
ନିଜେ ଦେଖୁଥାନ୍ତି ରହି ।
ପିତା ମାତା ସେବା କର ତୁମେ ତାହା
ସବୁଠାରୁ ବଡ ଧର୍ମ
ନିଜେ ପରିବାର ଛାଡି ଆସି କାହିଁ
ସେ କରୁଥାନ୍ତି କୁକୁର୍ମ ।
ଲୋଭ ମୋହ ମାୟା ଛାଡନ୍ତିନି ସେହି
ଯାଆନ୍ତି ଅଧର୍ମ ମାର୍ଗେ
ଜଳ ଦାନ ଦିଅ ଲୋକଙ୍କୁ କହନ୍ତି
ପୋଖରୀ ପୋତନ୍ତି ବେଗେ ।
ବୃକ୍ଷକୁ ଛେଦନ ଦେଖନ୍ତି ସପନ
ରାଜନୀତି ପଛେ ଧାଇଁ
ତିଆରି କରନ୍ତି ବିରାଟ ପ୍ରାସାଦ
ରହନ୍ତି ବିଳାସ ଯାଇ ।
ସାଧୁ ସନ୍ଥ ଭଲ ଦ୍ୟନ୍ତି ପ୍ରବଚନ
ଶୁଣି ପେଟ ପୂରି ଯାଏ
ଅସତ୍ୟର ମୁଖା ସାମ୍ନାକୁ ଆସିଲେ
ହୃଦେ ଘୁଣା ଆସି ଥାଏ ।
ପ୍ରବଚନ ଶୁଣିବାକୁ ଭଲ ଲାଗେ
ମନ ନେଉଥାଏ ମୋହି
ଲାଗୁଥାଏ ସତେ କଣ୍ଠେ ବସି ମାତା
ପୁରାଣ ଦିଅନ୍ତି କହି ।
ପ୍ରବଚନ ଦିଅ ମନା ନାହିଁ ଜମା
ନିଜେ ସତ୍ୟ ପଥେ ଥିବ
ଏ ଜଗତେ ଯଶ ଖ୍ୟାତି ବଢୁଥିବ
ସମ୍ମାନ ଯେ ପାଉଥିବ ।
ପ୍ରବଚନ ଦେବା ବଡ କଥା ନୁହେଁ
ଶିଶୁ ମଧ୍ୟ ଦେଇ ପରେ
କର୍ମର କ୍ଷେତ୍ରରେ ଦେଖେଇ ଯେ ପାରେ
ବଡ ସିଏ ଜଗତରେ ।