STORYMIRROR

Lata Behera

Abstract

4  

Lata Behera

Abstract

ଜନନୀ

ଜନନୀ

2 mins
342


ବିପଦ ଭଞ୍ଜନୀ ମାଆ ଗୋ ଜନନୀ

     ଶରଣ ପାଦରେ ତୋର 

ଧରିବୁନି ଦୋଷ ବହିବୁନି ରୋଷ 

     କରିବୁନି ମୋତେ ପର ।

ତୋହରି ଭରସେ ବାଟ ମୁଁ ଚାଲୁଛି

      ବଞ୍ଚି ଅଛି ଦୁନିଆରେ 

ଜୀବନ ସୁଅର ସଂଘର୍ଷ ନଈରେ

     ଦୁଃଖ ଯନ୍ତ୍ରଣା ନିଆଁରେ ।

ତଥାପି ମନରେ ଦୁଃଖ ମୋର ନାହିଁ 

ମୋ ସାଥେ ଜନନୀ ଅଛୁ ପରା ତୁହି 

     ଧରି ଅଛୁ ମୋର କର ।

କରିବୁନି ମୋତେ ପର ।।


ସନ୍ତାନ ଉପରେ ବିପଦ ପଡିଲେ

     ଜନନୀର ଲୁହ ଝରେ 

ସେଇ ଜନନୀର ଆଖିର ଲୁହକୁ

     କିଏ ଅବା ପୋଛି ପାରେ ?

କନ୍ୟା ହେଇ ନାରୀ ଜନ୍ମ ହେଇଥାଏ

     ଜାୟାରୁ ଜନନୀ ହୁଏ 

ସକଳ ଯାତନା ସବୁ ସହି ସିଏ 

     ସଂସାର ଚଳାଇ ନିଏ ।

ଆଖି ଲୁହ ଓଠ ତାର ପିଉ ଥାଏ

ସନ୍ତାନର ଦୁଃଖେ ସିଏ ଦୁଃଖୀ ହୁଏ

     ସନ୍ତାନ କରଇ ଦୂର ।

ବୁଝେନି ମା' ଦୁଃଖ ତାର ।।


ଜନନୀ ନ ଥିଲେ ପିଲା ଭବିଷ୍ୟତ 

     ହେଇଯାଏ ଅନ୍ଧକାର 

ମାଆ ପରା ଯାର ଦୁନିଆରେ ନାହିଁ 

    ସାହା କେହି ନାହିଁ ତାର ।

ଭୋକ ଓପାସରେ ନିଜେ ରହି ସିଏ

    ସନ୍ତାନ ଯତନେ ପାଳେ 

ସନ୍ତାନ ଜୀବନ ସୁରକ୍ଷା ପାଇଁ ସେ

     ମନ୍ଦିରରେ ଦୀପ ଜାଳେ ।

ନିଜେ କଷ୍ଟ ସହି ଡାକେ ଠାକୁରଙ୍କୁ 

ବିପଦ ନ ପଡୁ ତାହାର ପିଲାଙ୍କୁ 

    ପିଲା ତ ଜୀବନ ତାର ।

ପିଲା ଦୁଃଖ ଦିଏ ଘୋର ।।


ଦଶମାସ ଗର୍ଭ ଯନ୍ତ୍ରଣା ସହି ସେ 

     ଦେଇଛି ଜନମ ତାକୁ

ତାହା ପାଇଁ ସିନା ଦୁନିଆରେ ପାଏ

    ସିଏ ଜନନୀ ପଦକୁ ।

ଯେତେ ଦୋଷ କଲେ ପିଲା ବୁଦ୍ଧି ଭାବି

     କଥାରେ ଉଡେଇ ଦିଏ 

କେତେ ଗେଲ କରି କୋଳରେ ବସେଇ

     ଖୋଇ ଦେଉଥାଏ ସିଏ ।

ନାରୀର ଜୀବନ ସାର୍ଥକ ହୁଅଇ 

ନାରୀଟି ଜନନୀ ଯେବେ ହେଇ ଥାଇ

     ସନ୍ତାନ ନୟନ ତାର 

ଦୁଃଖ ପାଉ ପଛେ ଘୋର ।।


ସନ୍ତାନ ଦୁଃଖକୁ ଜନନୀ ବୁଝଇ

    ବୁଝି ପାରେ ତା ଅନ୍ତର 

ଆଜି ସେ ଜନନୀ ଆଶ୍ରୟ ଖୋଜୁଛି

     ଘରୁ ହେଉଛି ବାହାର ।

ତଥାପି ସନ୍ତାନ ମଙ୍ଗଳ ଚିନ୍ତଇ

     କହେ ଭଲରେ ସେ ଥାଉ 

ମୋ ଆୟୁଷ ପ୍ରଭୁ ତାକୁ ଦେଇ ଦିଅ

     ସୁସ୍ଥେ ଦିନ ତାର ଯାଉ ।

ଏମିତି ଜନନୀ କୈକେୟୀ ଯେ ଥିଲେ

ରାମଙ୍କ ଜୀବନ ରକ୍ଷା କରି ଥିଲେ

     ଦେଇ ବନବାସ ଘୋର ।

ନିନ୍ଦା ପାଇ ସେ ଅପାର ।।


ସନ୍ତାନର ଛାଇ ହୁଅଇ ଜନନୀ

      ରକ୍ଷାର କବଚ ସାଜେ

ସେ ସନ୍ତାନ ଯେବେ ଯାତନା ଦିଅଇ

      ଆଖି ଲୁହରେ ସେ ଭିଜେ ।

ସନ୍ତାନ ବିପଦେ ଆଗେ ଛିଡା ହୁଏ

    ଜୀବନକୁ ବାଜି ଦେଇ 

ଜନନୀ ହୃଦୟ ତ୍ୟାଗ କିଏ ବୁଝେ

    ନିଜ ସ୍ୱାର୍ଥେ ହୁଏ ବାଇ ।

ମାଆ ପାଇଁ ପିଲା ଦୁନିଆ ଦେଖଇ

ସେଇ ମାଆକୁ ସେ କେମିତି ଭୁଲଇ

    ମନୁ କରି ଦିଏ ଦୂର ।

ମାଆ ପାଇଁ ହସେ ଘର ।।


ସନ୍ତାନର ଦୋଷ ହରଇ ଜନନୀ 

      ନିଜ ମଥାକୁ ସେ ନେଇ 

ସନ୍ତାନ ଆଗରେ ଠିଆ ହେଇ ଥାଏ 

     ସବୁ କଷ୍ଟ ସହି ଥାଇ ।

ତୋ ପାଇଁ ଜନନୀ ଏଇ ଦୁନିଆରେ 

     ଆଜି ଲୋ ବଞ୍ଚିଛି ମୁହିଁ 

ଜଗତ ଜନନୀ ମହିମା ମର୍ଦ୍ଦିନୀ 

    ଦୂରେଇ ଦେବୁନି ତୁହି ।

ତୁ ମୋ ଜୀବନ ଏ ଆଖିର ଜ୍ୟୋତି

ତୋ ପାଇଁ ଜନନୀ ଦିନ ଯାଏ ବିତି

     ଆଶ୍ରୟ ପାଦେ ତୋହର ।

ସାଥି ତୁ ମୋ ଯୁଗ ଯୁଗର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract