ମିଛ ମଣିଷ
ମିଛ ମଣିଷ
ହସ ଲୁହଭରା ମାୟାର ସଂସାର
ସୁଖ ଦୁଃଖ ପରିପୂର୍ଣ୍ଣ,
ଧନୀ ଗରିବର ସୀମାରେଖା ତଳେ
ରୂପରେଖ ଭିନ୍ନଭିନ୍ନ |
ହୃଦୟ ଭିତରେ ସାଇତା ରହିଛି
ସ୍ନେହ,ପ୍ରେମ ଅସୁମାରୀ,
ପଥ ହୁଡ଼ିଗଲେ ଅମଡ଼ା ବାଟରେ
ନଆସେ ପଛକୁ ଫେରି |
ପରିଚୟ ଖୋଜେ ନିଜେ ନିଜ ମଧ୍ୟେ
ଅସ୍ତିତ୍ତ୍ୱ ନପାରେ ଜାଣି,
କେଉଁଠି ଆରମ୍ଭ କେଉଁଠି ତା ଶେଷ
କେଉଁଆଡେ ଯିବ ପୁଣି |
ମିଛ ରଙ୍ଗମଞ୍ଚେ ଅଭିନୟ କରେ
ଭଲିଭଳି ରଙ୍ଗ ମାଖି,
କେତେବେଳେ ପୁଣି ଭାବୁକଟେ ସାଜି
ଓଦା କରୁଥାଏ ଆଖି |
ଜୀବନଟା ଶେଷେ ମୁଠାଏ ପାଉଁଶ
ରହେନାହିଁ ଅବଶେଷ,
ସତ ଦୁନିଆଁରେ ମିଛ ଏ ମଣିଷ
ପ୍ରକୃତିର ଅଟେ ଦାସ ।