STORYMIRROR

ଅଜୟ କୁମାର ବେହେରା

Tragedy Inspirational

4  

ଅଜୟ କୁମାର ବେହେରା

Tragedy Inspirational

ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ

2 mins
724



କରୋନା କାୟାରେ କବଳିତ ଆଜି

     ସମଗ୍ର ଧରଣୀ ବାସୀ ।

ପ୍ରକୃତିର ରୋଷେ କରୋନା କବଳେ

     ଯାଇଛନ୍ତି ସର୍ବେ ଫସି ।୧।

ଚାଇନା ଦେଶରୁ କୋରୋନାର ସୃଷ୍ଟି

     ବିଶ୍ୱରେ ଆତଙ୍କ ରାଜ ।

ହେୟ ଯେ ମଣିଲା ପ୍ରମାଦ ଗଣିଲା

      ବାନ୍ଧି ନିଏ ଯମରାଜ ।୨।    

ଅଦୃଶ୍ୟ କରୋନା ନିରୁମୁଳି ଲତା

    ମାନବ ଦେହରେ ମାଡି ।

ମାନବର ଶକ୍ତି ନେଉଅଛି ଶୋଷି

    ସାଜିଛି ମୃତ୍ୟୁର ବେଡି ।୩।

ଜନ ସମାଗମ ରଂଜାଟି ତାହାର

    କରୁଛି ବଂଶ ବିସ୍ତାର ।

ସାବଧାନ ହେବା ଅତ୍ୟନ୍ତ ଜରୁରୀ

   ନହେଲେ ନାହିଁ ନିସ୍ତାର ।୪।

ଜୀବଜଗତରେ ଚତୁର ମାନବ 

    ପ୍ରଭାବ ବିସ୍ତାର କରି ।

ନିଜ ବଶେ ରଖି ଜୀବଜନ୍ତୁ ଯେତେ

   ପ୍ରଭୁତ୍ୱ କରେ ଜାହିରୀ ।୫।

ଜ୍ଞାନ ବିଜ୍ଞାନକୁ ନିଜ ସ୍ୱାର୍ଥ ପାଇଁ

    ଇଚ୍ଛାରେ ଅପପ୍ରୟୋଗ

ପ୍ରକୃତି ବିପକ୍ଷେ ଯୁଦ୍ଧ ଡାକରାରେ

   ମାଡୁଛି ଭୁତାଣୁ ରୋଗ ।୬।

ପରଙ୍ଗଭୋଜି ସେ କରୋନା ଭୁତାଣୁ

     ଦେହରୁ ଦେହକୁ ମାଡି ।

ଶାଖା ପ୍ରଶାଖାକୁ ବିସ୍ତାର କରୁଛି

    ମାନବ ଦେହରେ ଚଢି ।୭।

ଯୋଗମାୟା ଠାରୁ ବର ପ୍ରାପ୍ତ ହୋଇ

      ପ୍ରକୃତି କୋଳରେ ଜନ୍ମ ।

ଚିକିତ୍ସା ବିଜ୍ଞାନ ପରାହତ ହୋଇ  

      ଦେଉନାହିଁ କିଛି କାମ ।୮।

ହିନ୍ଦୁ ଶାସ୍ତ୍ର ମତେ ଅନେକ ଦାନବ

     ପାଇ ବି ଅମର ବର ।

ଧରାଶାୟୀ ହୋଇ ମରିଛନ୍ତି ସେହି

    କାହିଁକି ରଖିବା ଡର ।୯।

ଧର୍ଯ୍ୟ ଅସ୍ତ୍ର ଧରି ମୁକାବିଲା କଲେ

   ହୋଇବ କରୋନା ହତ ।

ଅମର ବର ତା ମୂଲ୍ୟହୀନ ହୋଇ

     ଆତଙ୍କର ହେବ ଅସ୍ତ ।୧୦।

ବିପଦ ସମୟେ କାତର ହୋଇବା

   ଭୀରୁ କାପୁରୁଷ ପଣ ।

ସତର୍କତା ସହ ମୁକାବିଲା କଲେ

   ଚାଲିଯିବ ଶତୃ ପ୍ରାଣ ।୧୧।

ଅଚେତନ ମନ ସଚେତନ ହୋଇ

   ଖୋଜୁଛି ବଞ୍ଚିବା ରାହା ।

ନାସ୍ତିକଙ୍କ ମୁଖେ ହରିନାମ ଶୁଭେ

   ରକ୍ଷା କର ଚଉବାହା ।୧୨।

ନାସ୍ତିକ ମୁଖରେ ଆସ୍ତିକର ବାଣୀ

    ଦୈବୀ ଶକ୍ତି ଆଗମନ ।

ଆସୁରିକ ଶକ୍ତି ପରାହତ ପାଇଁ

   ଶୁଭ ଲଗ୍ନର ଲକ୍ଷଣ ।୧୩।

କରୋନା ଯୋଜନା ଜନତା କର୍ଫ୍ୟୁର

    'କର' 'କରନାହିଁ' ବାଣୀ ।

ସହମତି ହୋଇ ସହଯୋଗ କଲେ

    ଶାନ୍ତିରେ ରହିବା ପୁଣି ।୧୪।

ମାନସିକ ସ୍ତରେ ଏକାଠି ହୋଇବା

    ପରସ୍ପର ଦୁରେ ରହି ।

ଜନ ଗହଳିକୁ ପ୍ରଶୟ ଦେବାନି

   ଗୃହରେ ଆଶ୍ରୟ ନେଇ ।୧୫।

ଆବଶ୍ୟକ ହେଲେ ବାହାରକୁ ଯିବା

    ମୁହଁରେ ବାନ୍ଧିବା ପଟି ।

ଶୀଘ୍ର କାମ ସାରି ଗୃହକୁ ଫେରିବା

    ବାହାରେ ନ କରି ଖଟି ।୧୬।

ଏକତାକୁ ତେଜି ଏକାକୀ ରହିଲେ

    ହେବା ଆମେ ବଳିୟାନ ।

ଗହଳି ଚହଳି ଜନ ସମାଗମେ

    ସ୍ପର୍ଶ କରେ ସଂକ୍ରମଣ ।୧୭।

ସନାତନ ଧର୍ମ ବିଶ୍ୱରେ ମହାନ

    ଆମ ସଂସ୍କୃତିର ସ୍ୱର ।

ମନ୍ତ୍ର ଉଚ୍ଚାରଣେ ଓଁକାର ଧ୍ୱନୀରେ

    ରକ୍ଷା ହେବ ଏ ସୃଷ୍ଟିର ।୧୮।

ଜଟିଳ ସ୍ଥିତିରୁ ରକ୍ଷା ପାଇବାକୁ

   ଦୃଢ଼ ମନୋବଳ ନେଇ ।

ସ୍ଵଛତାକୁ ସଦା ସଙ୍ଗେ ନେଉଥିବା

   କରୋନା ଯିବ ଦୁରେଇ ।୧୯।

କରୋନା ଭୁତାଣୁ ଭୂତ ହୋଇଯିବ

     ଶୁଣିଲେ ସତର୍କ ଘଣ୍ଟି ।

ଆମ ସତର୍କତା ଏକମାତ୍ର ଅସ୍ତ୍ର

   ଅନ୍ୟଥା ରୋଗର ପୁଷ୍ଟି ।୨୦।

ସତର୍କତା ସତ୍ତ୍ୱେ କେବେ ଯଦି କେହି

     ସଂକ୍ରମିତ ହୋଇଯିବା ।

ସରକାରଙ୍କର ନିୟମରେ ଯାଇ

    ଡାକ୍ତରଙ୍କୁ ଜଣାଇବା ।୨୧।

ଭୁତାଣୁ ରାକ୍ଷସ ନାଶ କରିବାକୁ

     ନାହିଁ ଔଷଧର ଅସ୍ତ୍ର ।

ସତର୍କତା ଅସ୍ତ୍ରେ ମାରିବା ସମସ୍ତେ

    କରିବା ଏକାକୀ ବାସ ।୨୨।

ସ୍ଵଛ ପରିବେଶ ପରିମଳ ପ୍ରତି

    ସର୍ବଦା ସଜାଗ ରହି ।

ପ୍ରକୃତି ସହିତ ମିତ୍ରତା ଜରୁରୀ

    ସୁସ୍ଥରେ ରହିବା ପାଇଁ ।୨୩।

ସଙ୍କଟ ଟଳିଲେ ଭୁଲିବାନି କେହି

    ହୋଇବା ପ୍ରତିଜ୍ଞାବଦ୍ଧ ।

ବିଜ୍ଞାନ ବଳରେ ସୃଷ୍ଟି ବିରୁଦ୍ଧରେ

   କରିବାନି କେବେ ଯୁଦ୍ଧ ।୨୪।

ସ୍ରଷ୍ଟାଙ୍କ ସୃଷ୍ଟିରେ ଜୀବଜଗତରେ

     ବଞ୍ଚିବାର ଅଧିକାର ।

ଛିନ୍ନ କରିବାକୁ ହୀନ ବୁଦ୍ଧି କଲେ

    ପ୍ରକୃତି ହୋଇବ କ୍ରୁର ।୨୫।

ଜୀବେ ଦୟାଭାଵ ହୃଦୟରେ ରଖି

    କର୍ମେ ଧର୍ମ ଆଚରିବା ।

ସୁନ୍ଦର ସୃଷ୍ଟିରେ ସମସ୍ତଙ୍କୁ ନେଇ

    ଶାନ୍ତି ସୁଖରେ ବଞ୍ଚିବା ।୨୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy