ନିର୍ବାଚନ ଥାଳି
ନିର୍ବାଚନ ଥାଳି
ନିର୍ବାଚନୀ ଥାଳି ପଡୁଛି ଉଛୁଳି
ଗ୍ୟାରେଣ୍ଟିର ବର୍ଷା ଜଳେ
ପ୍ରତିଶ୍ରୁତି ଥୋପ ଗୁନ୍ଥି ନେତାମାନେ
ବୁଲୁଛନ୍ତି ଘରେ ଘରେ ॥
ମତଦାତା ମାନେ ଚାହାନ୍ତି ବିକଳେ
ଗିଳିବାକୁ ସେହି ଥୋପ
ବିଶ୍ୱାସ ହେଉନି ନେତାଙ୍କ ଉପରେ
କେତେ ସତ କେତେ ମିଛ ॥
କେତେ ପ୍ରତିଶୃତି ପ୍ରତାରଣା ହୋଇ
ସ୍ମୃତିରେ ରହିଛି ଚେଇଁ
ବିଗତ ଦିନରେ ଦେଇଥିଲେ ନେତା
ପୂରଣ କରିବା ପାଇଁ ॥
ଭରସା ପାଉନି ନେତାଙ୍କ ଉପରେ
ଗର୍ଜନ କରନ୍ତି ଭାରି
ନିର୍ବାଚନ ଋତୁ ସରିଗଲା ପରେ
ଚାହାଁନ୍ତିନି ଥରେ ଫେରି ॥
ଇସ୍ତାହାର ଦେଖି ଗରିବ ପଶିଛି
ଯେହ୍ନେ ଆଖୁ କିଆରୀରେ
ହିସାବ କରୁଛି କେଉଁଆଡେ ଗଲେ
ରହିବ ବେଶି ଲାଭରେ ॥
ଭାବୁଛି ମନରେ ବଞ୍ଚିବା ନିମନ୍ତେ
ମାଗଣାରେ ଖଣ୍ଡେ ଲୋଡ଼ା
ପ୍ରତିଶୃତି ମିଳେ ଖଣ୍ଡେ କାହିଁପାଇଁ
'ଦେବି ତୋତେ ଏକ ବିଡ଼ା'॥
ଧନୀକ ଚାହୁଁଛି ଧନୀ ହେବ ବେଶି
ରାଜନୀତି ସାହାରାରେ
ବିଡ଼ା ବିଡ଼ା ଟଙ୍କା ଫିଙ୍ଗି ଦେଉଅଛି
ନିର୍ବାଚନୀ ଥାଳିଆରେ ॥
ମଧ୍ୟବିତ୍ତ ବସି ମନରେ ଭାବୁଛି
କାହାକୁ ଭୋଅଟ ଦେବି
ଗରିବ ପାଉଛି ଧନୀ ବି ପାଉଛି
କେଉଁ କୁଳର ମୁଁ ହେବି ॥
ବିଜେଡି ବିଜେପି ଗ୍ୟାରେଣ୍ଟି ପାହାଡ଼
ଦେଖିକି କଂଗ୍ରେସ ଦଳ
ଜଳକା ହେଇକି ଚାହୁଁ ଚାହୁଁ ତାର
ଭାଙ୍ଗିଯାଏ ମନୋବଳ ॥
କରେ କସରତ ଜାତୀୟ କଂଗ୍ରେସ
ପ୍ରତିଶୃତି ମାଳା ଧରି
ମାଳାକୁ ତାହାର ମିଳୁନି ଆଦର
ମନ ତା ଯାଉଛି ମରି ॥
ମତ ହାତେଇବା ନିଶାରେ ନେତାଙ୍କ
ଲମ୍ବା ଇସ୍ତାହାର ଦେଖି
ମତଦାତାମାନେ ଚକିତ ହୁଅନ୍ତି
ଆଖିଯାଏ ତାଙ୍କ ଲାଖି ॥
ଯୁବକ କୃଷକ ନାରୀ ମଧ୍ୟବିତ୍ତ
ଧନୀ ଓ ଗରିବ ନାମେ
ଜନ୍ମରୁ ମରଣ ମାଗଣା ଯୋଜନା
ଫଳ ଦେବେ ନେତା ଦାନେ ॥
ରାଜନୀତି ଯଦି ଜନତାଙ୍କ ସେବା
କହୁଛନ୍ତି ସବୁ ଦଳ
ହାତରୁ ଖାଇକି ସେବା କରିବାକୁ
କାହିଁ ଏତେ ଗଣ୍ଡଗୋଳ !!
ଗଣ ମାଧ୍ୟମରେ ବିଜ୍ଞାପନ ସ୍ରୋତ
ପରସ୍ପର ଗୋହି ଖୋଳି
ଉପରେ ଶତ୍ରୁତା ଦଳ ଦଳ ମଧ୍ୟେ
ଅନ୍ତରାଳେ କୋଳାକୋଳି ॥
କାହା ଭଲ ନୀତି କେହି ଦେଖନ୍ତିନି
ନିଜର ପ୍ରଶଂସା କରି
ପରସ୍ପର ପ୍ରତି କାଦୁଅ ଫିଙ୍ଗନ୍ତି
ଦୁର୍ନୀତି ଦୁର୍ଗୁଣ ଧରି ॥
ଜନତାଙ୍କ ଠାରୁ ପ୍ରତ୍ୟେକ୍ଷରେ ନେଇ
ମାଗଣା ଯୋଜନା ପାଇଁ
ମହାଦାନୀ ସାଜି ଧନୀ ବି ହୁଅନ୍ତି
ପରୋକ୍ଷରେ ଦାନ ଦେଇ ॥
ଆସନ୍ତୁ ସମସ୍ତେ ବିଚାର କରିବା
ବୁଦ୍ଧି ଵିଵେକ ଖଟେଇ
ଉପଯୁକ୍ତ ପ୍ରାର୍ଥୀ କରିବା ଚୟନ
ମୂଲ୍ୟବାନ ମତ ଦେଇ ॥
