STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract Others

ଗଣପର୍ବ ମକର

ଗଣପର୍ବ ମକର

2 mins
317

ସକଳ ଶକ୍ତିର ଆଧାର ସୁରୁଜ 

ଆମ ଜୀବନ୍ତ ଦେବତା 

ଋତୁ ମାନଙ୍କର ନିୟାମକ ଶକ୍ତି 

ସ୍ଫୁର୍ତ୍ତି ତେଜ ଉର୍ଜା ଦାତା ॥୧


ସୌର ଗଣନାରେ ସଙ୍କରାନ୍ତି ଠାରୁ 

ସଙ୍କରାନ୍ତି ଏକ ମାସ 

ବାର ମାସେ ବାର ରାଶିରେ ସୁରୁଜ 

ଦେବତା କରନ୍ତି ବାସ ॥୨


ଧନୁ ରାଶି ଠାରୁ ମକରକୁ ଯିବା 

ଦିନ ମକର ସଂକ୍ରାନ୍ତି 

ଗଣପର୍ବ ଏହି ଦିନକୁ ଦେଶରେ 

ବିଭିନ୍ନ ନାମେ ପାଳନ୍ତି ॥୩


ମକରର ଅଧିପତି ଶନିଦେବ 

ସୂର୍ଯ୍ୟଦେବଙ୍କ ସନ୍ତାନ 

ଏହି ଦିବସରେ ଶନିଙ୍କୁ ପୂଜିଲେ 

ହୋଇଥାନ୍ତି ସେ ପ୍ରଶନ୍ନ ॥୪


ତିଳଜଳେ ସ୍ନାନ ସାରି କଳା ବସ୍ତ୍ର 

କରେ ଯେହୁ ପରିଧାନ 

ଶନି ପୂଜା ପରେ ଅନ୍ନ ବସ୍ତ୍ର ଘୃତ 

କମଳ କରିଲେ ଦାନ ॥୫


ଦଶ ଗୁଣା ପୁଣ୍ୟ ଫଳ ଲଭି ସେହୁ 

ଶାନ୍ତିରେ କାଟଇ ଦିନ 

ଗ୍ରହରାଜଙ୍କର କୃପା ଦୃଷ୍ଟି ବଳେ 

ଜୀବନ ହୁଏ ତା ଧନ୍ୟ ॥୬


ମକରେ ବକର ସୂର୍ଯ୍ୟଙ୍କର ଗତି 

କମି କମି ଯାଏ ଶୀତ 

ଦିନ ଦୀର୍ଘ ହୋଇ ରାତ୍ରି ଛୋଟ ହୁଏ 

ବୃଦ୍ଧି ହୁଏ ସୂର୍ଯ୍ୟ ତାପ ॥୭


ଭାରତବର୍ଷରେ କୋଣ ଅନୁକୋଣେ 

ନିଜ ପରମ୍ପରା ନେଇ 

ମକର ପରବ ପାଳନ୍ତି ସରବେ 

ଭିନ୍ନ ଭିନ୍ନ ନାମ ଦେଇ ॥୮


ଓଡିଶା କେରଳ ଆନ୍ଧ୍ର ତେଲେଙ୍ଗାନା 

ଉପକୂଳ ଚାରି ରାଜ୍ୟ 

'ମକର ସଂକ୍ରାନ୍ତି' ନାମରେ ପାଳନ୍ତି 

ପ୍ରସିଦ୍ଧ ଏହି ପରବ ॥୯


ଜାମ୍ମୁରେ ପାଳନ୍ତି ଏହି ପରବକୁ 

ନାମ 'ମାଘୀ ସଙ୍ଗରଦ'

ହିମାଚଳ ପ୍ରଦେଶରେ କହିଥାନ୍ତି 

ଏହାକୁ ଖିଚିଡି ପର୍ବ ॥୧୦


ଗୁଜୁରାଟ ସଙ୍ଗେ ରାଜସ୍ଥାନ ରାଜ୍ୟେ 

'ଡୋଗ୍ରୀ ଓ ଉତ୍ତରାୟଣ'

ପଞ୍ଜାବରେ ଏହା 'ଲୋହଡ଼ି' ନାମରେ 

ଜାକଜମକେ ପାଳନ ॥୧୧


ବିହାରୀ ପାଳନ୍ତି 'ଦହିଚୁରା' କହି 

'ମାଘ ବିହୁ' ଆସାମରେ 

ଉତ୍ତରାଖଣ୍ଡରେ 'ଘୁଘୁତୀଆ' ଏହା 

ପାଳିଥାନ୍ତି ଘରେ ଘରେ ॥୧୨


ମିଥିଳାରେ ଏହା 'ତିଳ ସଙ୍କରାନ୍ତି' 

ବଙ୍ଗରେ 'ଗଙ୍ଗାସାଗର' 

ତାମିଲିନାଡ଼ୁରେ 'ପୋଙ୍ଗଲ' ନାମରେ 

ପାଳନ ହୁଏ ମକର ॥୧୩


ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ 

ଓଡ଼ିଶାରେ ଆଦିବାସୀ 

'ଟୁସୁ ପର୍ବ'ନାମେ ପାଳନ୍ତି ଏହାକୁ 

ପରସ୍ପର ମିଳିମିଶି ॥୧୪


ଟୁସୁ (କୁଣ୍ଡା) ପ୍ରତିମାକୁ ପୂଜା କରିଥାନ୍ତି 

ଭକ୍ତି ଚିତ୍ତେ କରି ଧ୍ୟାନ 

ପୂଜା ପରେ ବାଜାନାଚ ମାହୋଲରେ 

ମୂର୍ତ୍ତି ହୁଏ ବିସର୍ଜନ ॥୧୫


ମକରରେ ମାତା ଲକ୍ଷ୍ମୀ ଠାକୁରାଣୀ 

ଛାଡି ନିଜ ବାପଘର 

ସଙ୍ଗେ ଆଣି ଲୁଣ ମକର ଚାଉଳ 

ଫେରିଥାନ୍ତି ଶ୍ରୀମନ୍ଦିର ॥୧୬


ଅରୁଆ ଚାଉଳ କ୍ଷୀର ଗୁଡ଼ ଛେନା 

କଦଳୀ ନଡ଼ିଆ ଘୃତ 

ଗୋଲମରିଚର  ଗୁଣ୍ଡ ମିଶ୍ରଣରେ 

ମକର ଚାଉଳ ଭୋଗ ॥୧୭


ଲାଗି ହୋଇଥାଏ କାଳିଆ ପାଖରେ 

ମକର ସଂକ୍ରାନ୍ତି ଦିନ  

ନୂଆ ବସ୍ତ୍ର ପିନ୍ଧି କାଳିଆ ଠାକୁର 

କରନ୍ତି ଏହା ଗ୍ରହଣ ॥୧୮


ଘରେ ଘରେ ଖିରି ଖିଚିଡି କାକରା 

ମଣ୍ଡାପିଠା ରାଶିଜାଉ 

ମକର ପର୍ବରେ ସ୍ୱାଦିଷ୍ଟ ଖାଦ୍ୟକୁ 

ମହା ଆନନ୍ଦର ଖାଉ ॥୧୯


ଆକାଶରେ ଉଡ଼େ ରଙ୍ଗ ବେରଙ୍ଗର 

ଅନେକ ପ୍ରକାର ଗୁଡ଼ି 

ନଟେଇର ସୁତା ଆକାଶେ ଗୁଡ଼ିକୁ

ଯେହ୍ନେ ଧରିଥାଏ ଭିଡି ॥୨୦


ଲକ୍ଷ୍ୟ ଆମ ଗୁଡି କର୍ମ ନଟେଇରୁ 

ଭାଗ୍ୟର ସୂତାରେ ଯୋଡି 

ଜୀବନ ଯାତ୍ରାରେ ଲକ୍ଷ୍ୟ ସ୍ଥଳ ଆଡେ 

ନେଉଥାଏ ସଦା ଭିଡି ॥୨୧


ସତ୍ୟ ଧର୍ମ ପଥେ କର୍ମ କରୁଥିଲେ 

ଉଡୁଥାଏ ଲକ୍ଷ୍ୟ ଗୁଡ଼ି 

ଅସତ୍ୟ ଅଧର୍ମେ କର୍ମ ନଟେଇରୁ 

ଭାଗ୍ୟ ସୁତା ଯାଏ ଛିଡି ॥୨୨


ଲକ୍ଷ୍ୟସ୍ଥଳ ଆମ ହୋଇ କକ୍ଷ୍ୟଚ୍ୟୁତ 

ଦୃଷ୍ଟିରୁ ଯାଏ ଦୁରେଇ 

ହଜିଯାଏ କାହିଁ ଠିକଣା ଖୋଜିଲେ 

ପାରନ୍ତିନି କେହି କହି ॥୨୩


Rate this content
Log in

Similar oriya poem from Abstract