STORYMIRROR

NARESH SAHOO

Abstract

3  

NARESH SAHOO

Abstract

ପାର୍ବଣ

ପାର୍ବଣ

1 min
190

ଅଦୂରରେ ରହି ରହି ଶୁଭିଯାଉଛି।

ଘଣ୍ଟ ଓ ଢୋଲ ଶବ୍ଦରେ

'ଯା ଦେବୀ ସର୍ବ ଭୂତେଷୁ' ଅସ୍ପଷ୍ଟ ହେଉଛି।


ପାର୍ବଣର ଆସର ବେଶ୍ ଜମିଛି

ଭକ୍ତଜନଙ୍କ ସମାଗମରେ 

ମଣ୍ଡପାରୂଢ଼ା ଜଗଜ୍ଜନନୀଙ୍କ ମୁଖ ଚିକ୍ ଚିକ୍  ଦିଶୁଛି।

ବର୍ଣ୍ଣାଢ୍ୟ ତୋରଣ

ଆକର୍ଷଣୀୟ ଆଲୋକସଜ୍ଜା

ମନଲୋଭା ଆତସବାଜି ଦେଇ

ଉତ୍ସବସ୍ଥଳ ମୁଖରିତ ହେଉଛି।

ଦିନଯାକ ମନ୍ତ୍ରପାଠ

ଅର୍ଦ୍ଧରାତ୍ର ଯାଏଁ ମନୋରଂଜନର ସୁବ୍ୟବସ୍ଥା ହୋଇଛି।


ଆଜି ନୁହେଁ କି କାଲି

ଛ'ମାସ ଧରି କର୍ମକର୍ତ୍ତାଏ ଲାଗିଛନ୍ତି

ତୋରଣର ଥିମ୍ ପାଇଁ ଳହୁଲୁହ ଢାଳିଛନ୍ତି

କୁମାରଟୁଲୀରୁ ଶିଳ୍ପୀଟିଏ ପାଇଁ କସରତ କରିଛନ୍ତି

ମୋରାଦାବାଦରୁ ପିତ୍ତଳ

ଫିରୋଜାବାଦରୁ ଚକମକି ଶଙ୍ଖା

କଟକର ତାରକସୀ କାମ ପାଇଁ

କୌଣସି କସର ଛାଡ଼ି ନାହାନ୍ତି।


ପୂରା ମେଢ଼ଟି ରୂପାର ଛାଉଣି ହେଇଛି

ଦେବୀ, ମହିଷାଙ୍କ ଅଳଙ୍କାର ଗିନି ସୁନାରେ ତିଆରିଛି

ମନୋରଞ୍ଜନର ଭାର ବଲିଉଡ୍ ଶିଳ୍ପୀଙ୍କ ଉପରେ ନ୍ୟସ୍ତ ଅଛି

ଶାରଦୋତ୍ସବକୁ ସର୍ବାଙ୍ଗ ସୁଂଦର ପାଇଁ ସୁବନ୍ଦୋବସ୍ତ କରାଯାଇଛି।


ତଥାପି ମନକୁ ଯାଉନାହିଁ !

ଡେଇଁ ଡେଇଁ ଏ ମେଢ଼ରୁ ସେ ମେଢ଼

ଦେଖି ଯିବାକୁ ମନ ବଳୁ ନାହିଁ

ସେ ମନ ସହ ସେ ଦିନ ଆଉ ନାହିଁ।


ଦିନ ଥିଲା

ଦୀର୍ଘ ଦିନରୁ ଦୁର୍ଗାପୂଜା ପାଇଁ ମସୁଧା ହେଉଥିଲା

ନୂଆ ଜାମାର କଟାଳ

ଯାତ୍ରା ଖର୍ଚ୍ଚର ଜଂଜାଳ

ପାଠ ପଢ଼ାରୁ ନିସ୍ତାର ପାଇଁ 

ଅନେକ ଫିକର କରିବାକୁ ପଡ଼ୁଥିଲା।


ବେଶ୍ ସୁଖକର ଲାଗେ ଅଶିଣି କାଶତଣ୍ଡିର ସମ୍ଭାର

ଘୋଡ଼ିହେଇଥିବା ପୃଥିବୀର ଶାଗୁଆ ଚାଦର

ମେଘ ଓ ଖରାର ଳୁଚକାଳି ଭିତରେ ଆକାଶର ହୁନ୍ଦର

କାରୁକାର୍ଯ୍ୟରହିତ ଟାଆଁସା ମେଢ଼ରେ

ମା ଦୁର୍ଗାଙ୍କର ମହିଷା ମର୍ଦନ ଖୁବ୍ ରମଣୀୟ ଲାଗେ।


ରମଣୀୟ ଲାଗେ ଅମୂଲ୍ୟ ସାହୁ କାକରା

ବୁଲା ଦୋକାନୀର ଆଳୁଦମ୍ ଦହିବରା

ସିଝା ବୁଟ

ଗରମ ଘୁଗୁନି

ଗୁପ୍ ଚୁପର ପସରା।


ସେଦିନ ସିନା ଆଉ ନାହିଁ

ସେ ମନ ସିନା ଆଉ ନାହିଁ

ସେଇ ସ୍ମୃତି ଅଛି ତ

ଅସରା ପାର୍ବଣର ସ୍ମୃତି ନେଇ

କାମନା କରିପାରିବା ତ

ଦୁର୍ଗତିନାଶିନିଙ୍କ ପାଖରେ ନିବେଦନ କରିପାରିବାତ

ବିନାଶ ହେଉ ପୃଥିବୀରୁ ମହିଷାମାନଙ୍କର

ଦୂର ହେଉ ପରିବେଶରୁ ହିଂସା, ଦ୍ବେଷ, କାତରତାର

ପ୍ରତିଷ୍ଠା ହେଉ ପ୍ରେମ, ପ୍ରୀତି, ଶାନ୍ତି

ଦୂର ହେଉ ଅସୂୟା, କ୍ରୋଧ, ଭ୍ରାନ୍ତି

ଜଗତ ଗାଉ

'ସର୍ବେ ଭବନ୍ତୁ ସୁଖୀନଃ' ଗୀତି ।


Rate this content
Log in

Similar oriya poem from Abstract