STORYMIRROR

NARESH SAHOO

Others

3  

NARESH SAHOO

Others

ଖବର

ଖବର

1 min
112

ଆଜି ଦେବ ଓରଫ ଦେବେନ୍ଦ୍ର ଗାଁରୁ ଆସିଲା

ବିକଳରେ ଦଉଡ଼ିଲି ଷ୍ଟେସନ

ଏଡ଼େ ବଡ଼ ସହରରେ ବାଟ ଭୁଲିଯିବା କୋଉ ବଡ଼ କଥା!


ଦେବ ଆସିଥିଲା ଆପଣା କାମରେ

ଦିନେ ଦି'ଦିନରେ ଫେରିଯିବ କାମସାରି।

ଶୀଘ୍ର କାଳେ ସମୟ ସରିଯିବ

ଫୁରସତ କାଳେ ନ ମିଳିବ

ତରତରରେ ପଚାରିଦେଲି

"କଣ ସବୁ ଚାଲିଛି ଗାଁରେ?"


ଭେଟୁଥିଲି ଏକ ଅନାଗ୍ରହ ଅନିଚ୍ଛୁକ 

ଅଥଚ ଅଭିମାନଭରା ଅଭିଯୋଗ

'ତମେମାନେ ତ ଆରାମରେ ରହିଲ ସହରରେ

କାହୁଁ ଜାଣିବ କେମିତି ଜିଉଁଛି ଗାଉଁଲି ଜୀବନ

କେମିତି ବିତୁଛି ସେଠି ଦିନ ପରେ ଦିନ!'


ଦେବ କହୁଥିଲା--

ଆଗକୁ ଆସୁଛି ପଞ୍ଚେଇତ ଭୋଟ

ମଙ୍ଗୁ ବେହେରା ପୁଣି ଠିଆ ହେଉଛି ସରପଂଚ ପାଇଁ।

ମନ୍ତ୍ରୀ ଆଇଥିଲେ ଟେରାଛକକୁ

ଆମ ଗାଁ ରାସ୍ତାର ରଙ୍ଗ ବଦଳିବ।

ବେତଡ଼ା ହାଟରେ ଖୋଲୁଚି ଗୋଟେ ବିଦେଶୀ ମଦ ଦୋକାନ।


କହି ପାରୁ ନ ଥିଲି ଦେବକୁ

'ବାସ୍ ସେତିକି ଥାଉ'

କି ଶୁଣି ପାରୁ ନ ଥିଲି ଆଗକୁ।

କେମିତି ବୁଝାନ୍ତି ତାକୁ

କେମିତି ବିଳପୁଛି ଗୋଟେ ସନ୍ତାପିତ ମନ

କିପରି କୁହୁଳୁଛି ଗୋଟେ ଅଧୁରା ପ୍ରାଣ!


କହି ଦିଅନ୍ତି କି---

ଶୁଣାରେ ଦେବ!

କେମିତି ଅଛନ୍ତି ବାଇଆ ଅଜା କମଳା ଦାଦା  

ନାରଣ ଭାଇ ଶାନ୍ତି ନୂଆଉମାନେ।

କେମିତି ଅଛନ୍ତି ବନା ଦାସ ବଇଦା ଜେନା ସୁକୁଟା ପୁରିଆ ଦୀନା ମୀନାମାନେ।

ଡେରି ନ କରି କହିଚାଲ ଭାଇ

'ନେଇ ବୋଉ'ର ଆଖି ଅପରେସନ କଥା

ହଗରା ଦାସ ଝିଅ ପାଇଁ ବରପାତ୍ର ଖୋଜା

ମହାନ୍ତିସାହିରେ କୋଉ ନାଟକ ହେଲା ଏଥର କୁଆଁର ପୁନେଇରେ।

କେତେ ପିଲା ହେଲେଣି ଅଙ୍ଗନ ବାଡ଼ିରେ।


ଭୋଦୁଅ ମହୁରାଳିଙ୍କୁ ଟାକିଥିବ ନଖଣ ଜେନା

ବ୍ରାହ୍ମଣଗାଁ ଦଶରା'କୁ ନିଘା କରିଚି ଶଂକରା ବୋଉ

ଛାଞ୍ଚୁଣି ଦି'ମୁଠା ପାଇଁ ପଇସା ଜମଉଛି।

ହୋଲିରେ ଏଥର ବେଶ୍ ଜମିଥିବ

ଭାଗପୁର ଢୋଲିଆ ଦଳର କଚେପୁଅବାର

କଣ ନ ବାଜୁଛି ସାରଙ୍ଗ ଜେନାର ସାହାନାଇ!


କହରେ ଦେବ--

କେମିତି ଅଛନ୍ତି ଅବସର ପ୍ରାପ୍ତ ବଙ୍କିମ ସାର୍।

ଫଳୁଛି ତ ବାଉ ଦାସ ବାରି ବରକୋଳି!

ଜଟିଆ ଦାସକୁ ମିଳିଲା କି ଘରଭଙ୍ଗା ସହାୟତା

ପାଲା କି ଦାସକାଠିଆ ହେଲା ଏଥର ରଜରେ।


ସେ ସବୁ କାହିଁକି ଶୁଣଉଚୁ

କୋଉ ନୂଆକଥା ମନ୍ତ୍ରୀଙ୍କ ଭାଷଣ

ମନ୍ତ୍ରୀ ସିନା ନୂଆ କରି ଗାଦି ଚଢିଥିବେ

ଭାଷଣ ତ କୋଉ ଯୁଗର।


ସେମିତି ପଛେ ଥାଉ ମୋ ଗାଁ ରାସ୍ତା

ମୋ ଗାଁ ଚାଟଶାଳୀ

କଟୁଥାଉ ବାରମ୍ବାର ଫୋନ କି ବିଜୁଳି

କାହା ଆଗରେ ହାତ ପାତିଲେ

ହାନିହେବ ମୋ ଗାଁର ସ୍ୱାଭିମାନ।


ଶୁଣେଇ ଚାଲ ଦେବ ଶୁଣେଇ ଚାଲ

ଯେତେ ପାରୁଛୁ ମୋ ଗାଁର ଖବର।

ଆଜି ପରା ଗାଁରୁ ଆସିଛୁ !!!!



Rate this content
Log in