STORYMIRROR

NARESH SAHOO

Classics

4  

NARESH SAHOO

Classics

ବର୍ଣ୍ଣବୋଧ

ବର୍ଣ୍ଣବୋଧ

1 min
245


ଅଘଟନ ଘଟିଲା ସେଦିନ

କେବେ ଭାବି ନ ଥିବା

କେବେ କଳ୍ପି ନ ଥିବା ଘଟନାଟି

ଝଡ଼ ହେଇ ବହିଯିବା ଦିନ।

ଗାଈଆଳ ଟୋକାର ଅପବାଦରୁ ବର୍ତ୍ତିବା ନିମିତ୍ତ

ଆନନ୍ଦମାଷ୍ଟେଙ୍କ ଚାହାଳିରେ ବସିବା ଦିନ

ବାପାଙ୍କ ହାତର ସରୁ ଚଟକଣି 

ଜବରଦସ୍ତି ବହିଟି ସହିତ ସମ୍ପର୍କ ସ୍ଥାପିବାର ଦିନ।


ହଁ, ସେଇ ବହି, ବର୍ଣ୍ଣବୋଧ।

ସବୁ ବାଳୁତ ପାଇଁ ଚିର ଅବୋଧ୍ୟ

ଏ ଯାଏଁ ବି ବୁଝି ପାରିନି

ଅନିଶା କରୁଛି ବିଲେଇଟି କାହାର

ବିଲୁଆ କାହିଁକି ବଡ଼ ଚତୁର।


କେବଳ ସେତିକି ବୁଝିଥାଏ

ମାଷ୍ଟେଙ୍କ ଗୋଗୋଛିଆ ପାହାରରୁ 

ନିସ୍ତାର ପାଇଁ ସରଳ ଉପାୟ

ବର୍ଣ୍ଣବୋଧରୁ ଯୁକ୍ତାକ୍ଷର ମିଶା ଗୀତ ଦି'ପଦର ଉଚ୍ଚାରଣ।


ବହିଟିର ପରିପାଟୀ ସୁଦୃଶ୍ୟ ନୁହେଁ

ଆବରଣ ବି ଗୁଣାତ୍ମକ ନୁହେଁ

ଆଧୁନିକତାର ଚାକଚକ୍ୟରେ ଧାର ଧରେନା

ବହିଟିର କାୟା ବିଶାଳ ନୁହେଁ

ମାତ୍ର ତା ମାୟାରୁ ବର୍ତ୍ତିବା ସହଜ ନୁହେଁ।


ବୁଢ଼ୀମା ଲଗେଇଲା ଅକ୍ଷର ଚିହ୍ନ

ଜୀବ ଯିବାବେଳେ ଭାଗବତ ଦି'ପଦ ଶୁଣେଇବୁ

ମା କହିଲା ଚାହାଳି ଯା'

ଗାଈଆଳ ଟୋକାରୁ ମଣିଷ ବନିବୁ

ବାପାଙ୍କ ରାଢ଼ୁଆ ହାତ କଥା କହିଲା

ତୋ ଦଶା ଯଦି ଭଲ ବହି ଧର୍

ଜୀବନ ଅଭିଶପ୍ତ ବନିବାରୁ ବର୍ତ୍ତିଯିବୁ।

ନିନ୍ଦା, ତିରସ୍କାର, ଦୂର୍ ଦୁର୍ ଭାବନାର ବୋଝ

ମୁଣ୍ଡଉପରେ ସବାର ହେଲା

ଅବୋଧ୍ୟ ବର୍ଣ୍ଣବୋଧ ରଟିବାର ଯନ୍ତ୍ରଣା 

ଶନିଦଶା ସାଜିଲା।


ଟାଣକରି ପାହାରଟିଏ କଷିଲେ ମାଷ୍ଟେ ହାତରେ

ଯନ୍ତ୍ରଣାସିକ୍ତ "ଆଃ" ଚିତ୍କାର

ବର୍ଣ୍ଣବୋଧ ଛୁଇଁବାର ଆଦ୍ୟ ଝଙ୍କାର

ଜୀବନ ଚୁମିବାର ଶ୍ରେଷ୍ଠ ଓଁକାର

ମାଟି ସହ ସମ୍ପର୍କ ଯୋଖିବାର ପ୍ରଥମ ପ୍ରୟାସ

ଆକାଶ ଲଙ୍ଘିବାର ବେଦାଭ୍ୟାସ।


ମାଷ୍ଟେ ଲହରେଇଲେ---

 ଗ୍ରୀଷ୍ମେ, ବୈଶାଖ ଜ୍ୟେଷ୍ଠ ମାସ

ମୋତେ ଲାଗିଲା---

ଘଟିବ ମୋର ସର୍ବନାଶ

କୁକ୍କୁଟ ମୁଣ୍ଡେ ଅଛି ଚୂଳ

ବର୍ଣ୍ଣବୋଧ ଅଟେ ଜଂଜାଳ

କାଞ୍ଚନେ ବାଞ୍ଛା ନାହିଁ ମୋର

ସେ ବହିଠାରେ ହତାଦର।


ବର୍ଣ୍ଣବୋଧ,

ଯେତେ ବିରକ୍ତି ସେତେ ଆସକ୍ତି

ଯେତେ ବିକାର ସେତେ ଆଦର

ଯେତେ ଅସୂୟା ସେତେ ସନ୍ତୋଷ

ତାକୁ ଯେତେ ଦୁରେଇଲେ ସେ ସେତିକି ଆପଣାର

କାରଣ---

ସେ ମୋର ଭାଷା, ସଂସ୍କୃତି, ସାହିତ୍ୟ

ବେଦ, ପୁରାଣ, ଉପନିଷଦ

ଜ୍ଞାନୀର ଅହଂକାର

ଅଜ୍ଞାନର ଗଣ୍ଠିଧନ

ନିର୍ଦ୍ଧନର ଧନାଗାର

ସଜ୍ଜନର ସ୍ୱାଭିମାନ

ତା ନାଁ ସ୍ମରଣରେ ମନ୍ତ୍ରମୁଗ୍ଧ ପ୍ରାଣ

ମୋ ଜାତିର ଆବେଗପୂର୍ଣ୍ଣ, ସଶ୍ରଦ୍ଧ, ଉଚ୍ଚାରଣ।

ଆଃ, ବର୍ଣ୍ଣବୋଧ, ତୁ ମୋର ଚିରକାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics