ସ୍ନାନ ପୂର୍ଣ୍ଣିମାରେ ଭାବ ବିନୋଦିଆ
ସ୍ନାନ ପୂର୍ଣ୍ଣିମାରେ ଭାବ ବିନୋଦିଆ
ବାରମାସେ ତେରପର୍ବ ଦେଖ ମୋ ଭାବ ବିନୋଦିଆର,
ସବୁ ପର୍ବ ଠାରୁ ଶ୍ରେଷ୍ଠ ଅଟେ ଦେବସ୍ନାନ ପର୍ବ ତାର ।
ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣମୀ ତିଥିରେ ଗଜବେଶ ହୁଏ,
ଗଜଉଦ୍ଧାର ନିମନ୍ତେ ଯୁଗେ ଯୁଗେ ନାମ ବହିଛି ସେ ।
ସ୍ନାନ ମଣ୍ଡପରେ ଚାଲ ଗୋ ଦେଖିବା ସ୍ନାହାନ ପୁନେଇଁ,
ଗଜାନନ ରୂପେ ଦର୍ଶନ ଦେବେ ପ୍ରଭୁ କଳା ଗୋସେଇଁ ।
ସୁନା କୂପ ଜଳ ଅଣାଯାଏ ଦେବତାଙ୍କ ସ୍ନାନ ପାଇଁ,
ଶ୍ରୀକ୍ଷେତ୍ରେ ଭକ୍ତଙ୍କ ଭିଡ ସେଜଳଟିକେ ପାଇବା ପାଇଁ ।
ତେତିଶ ଗରା ଜଳରେ ସ୍ନାନ କରନ୍ତି ଯେ ବଡ଼ଭାଇ,
ପଞ୍ଚତ୍ରିଶ ଗରା ଜଳେ ସ୍ନାନ କରେ ମୋ କାଳିଆ ସାଇଁ ।
ବାଇଶି ଗରା ଜଳେ ସ୍ନାନ କରନ୍ତି ସୁଭଦ୍ରା ଭଉଣୀ,
ସୁଦର୍ଶନ ଅଠର ଗରା ଜଳେ ସ୍ନାନ କରନ୍ତି ପୁଣି ।
ତେତିଶ, ପଞ୍ଚତିରିଶ, ବାଇଶି, ଅଠର ଗରା ଜଳ,
ମୋଟ ଶହେଆଠ ଗରା ଲାଗିହୁଏ ସବୁ ଦିଅଁଙ୍କର ।
ଭାଇ ଭଉଣୀ ଓ ସୁଦର୍ଶନ ସାଥେ ପ୍ରଭୁ ଜଗନ୍ନାଥ,
ଶଙ୍ଖ ଚକ୍ର ଗଦା ପଦ୍ମ ହାତେଧରି ହ୍ଯୋନ୍ତି ସୁଶୋଭିତ ।
ହଳ ମୂଷଳ ସହିତେ ବିରାଜିତ ପ୍ରଭୁ ବଳଭଦ୍ର,
ଗଜବେଶେ ଚତୁର୍ଦ୍ଧାମୂରତି କରନ୍ତି ଦୁଃଖ ଲାଘବ ।
କଳିଯୁଗେ ଭାଇ ହେଲା ଭଗାରି କେହି ନୁହେଁ କାହାରି,
କିନ୍ତୁ ମୋ କାଳିଆ ଭାଇ ଭଉଣୀ ସଙ୍ଗେ ଶୁଣେ ଗୁହାରି ।
ଅପୂର୍ବ ତୋର ସେ ମାୟା କିଏବା ପାରିବ ବୁଝି ତାକୁ,
ସକଳ ପାପ ତାପ ମୁକ୍ତିଦାତା ସର୍ବଘଟେ ବିରାଜିଛୁ ।
ତୁମେ ଜଗବନ୍ଧୁ ତୁମେ କୃପାସିନ୍ଧୁ ତୁମେ ଦିନବନ୍ଧୁ,
ତୁମେ ଭକ୍ତବନ୍ଧୁ ତୁମେ ଜ୍ଞାନମଧୁ ତୁମେ ମୋରବନ୍ଧୁ ।
ତୁମେ ସର୍ବନାମ ପୁଣି ତୁମେ ତ ସର୍ବ ରୂପେ ଅରୂପ,
କେଉଁ ନାମେ କେଉଁ ରୂପେ ପୂଜିବି କୁହ ହେ ବିଶ୍ବରୂପ ।
ସବୁଠୁ ସୁନ୍ଦର ଗଜାନନ ବେଶ ଦେଖନ୍ତି କି ଥରେ,
ମୋନେତ୍ର ପଖାଳନ୍ତି ପ୍ରଭୁ ତୁମସେ କୃପାନେତ୍ର ତୀରେ ।