STORYMIRROR

NARESH SAHOO

Abstract Others

3  

NARESH SAHOO

Abstract Others

ବାପା

ବାପା

1 min
206


ଅଧ ରାତିରେ ନିଦ ଭାଙ୍ଗି ଯାଉଛି

ସପନରେ ବିଳି ବିଳେଇ ହେଉଛି

ଅସୁସ୍ଥ ବାପାଙ୍କ କଥା ଭାବି ଭାବି

ସବୁ ସମୟ ଅନ୍ୟମନସ୍କ ରହୁଛି।


ବାପାଙ୍କ ଦେହ ଭଲ ନାହିଁ, ଭଲ ରହୁନାହିଁ

ସେତିକି ନୁହେଁ, ଦେହ ଭଲହେବାର ଗନ୍ଧ ବାରି ହେଉନାହିଁ

ଶୀର୍ଣ୍ଣ ଶରୀର, ଅସ୍ପଷ୍ଟ ସ୍ୱରରେ ମୋର ପାପ ମନ ଥୟ ଧରୁନାହିଁ।


ବାପା--

ଉଚ୍ଚାରଣରେ ଲାଗେ ନିରାପତ୍ତା

ସ୍ମରଣରେ ଅନୁଭବେ ଅସ୍ମିତା

ତାଙ୍କ ଦର୍ଶନରେ ସମ୍ବିତ୍ ପାଏ ମୋର ସତ୍ତା

ସେ ମୋର ପରିଚୟ

ଅଙ୍ଗ, ଆତ୍ମା, ବଳୟ

ତାଙ୍କ ବିନା ମୋ ପରିଧି ଅନନୁମେୟ।

ବାପା ଅଛନ୍ତି ବୋଲି ତ ମୁଁ ଶାନ୍ତିରେ ଶୁଏ

ବେପରଵାୟ ଜୀବନ ଜିଏଁ

ଜୀବନର ସକଳ ଝଞ୍ଜାକୁ ବେଖାତିର୍ କରି ଆଗକୁ ଧାଏଁ।


ବାପା--

ନିଜ ନଗ୍ରରେ ଥିଲେ ଏକାଙ୍ଗ ସୁଲତାନ

ତାଙ୍କ ଆଗମନରେ ଗାଁ ଦାଣ୍ଡ ଶୂନଶାନ୍

ତାଙ୍କର ନାଁ ନେଇ ଭାଇଭାଗ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ

ସବୁରି ସମସ୍ୟା ପାଇଁ ପ୍ରତିକାରର ଚଳନ୍ତି ସମ୍ବିଧାନ।

ସଦା ହାକିମାତି କରୁଥିବା ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କର ପ୍ରଚ୍ଛନ୍ନ ନୀରବତା ମନକୁ କରୁଛି ଆଶଙ୍କାଚ୍ଛନ୍ନ।


ବାପାଙ୍କ ସହ ମୋର କେବେ ମୁହାଁମୁହିଁ ହୁଏ ନାହିଁ

କଥାହେଲା ବେଳେ କେବେ ଚାରି ଚକ୍ଷୁର ମିଳନ ହୁଏ ନାହିଁ

କଠୋର ଆଦେଶ, କଡ଼ା ଅନୁଶାଶନ ଦେଇ ଶୈଶବ କାଟିଲା ବେଳେ କିନ୍ତୁ

ସୋହାଗର କମି ଅନୁଭବି ନାହିଁ।

ସେଦିନ ତ ପ୍ରତ୍ୟକ୍ଷ କଲି--

ସୁଦୂର କଟକ ସହରରେ ମୋତେ ଛାଡ଼ି ଆସିବା ଦିନ

ବାପାଙ୍କ ଆଖି ଜକଜକ ଦିଶୁଥିଲା

ବାଳୁତ ମନଟା ମୋର ବୋଲ ମାନିଲାନି

ନାନା ଆଳ ଦେଖେଇ ମୋତେ ବୋଧ ଦେଉଥିଲେ ସିନା

ନିଜ ଆଖିର ଲୁହକୁ ବୁଝେଇ ପାରୁ ନ ଥିଲେ।

ଜୀବନଯାକ ଜଳିଛନ୍ତି ସଂସାରର ଦାୟରେ

ନିଜେ ଜଳି ଆଲୁଅ ବିତରିଛନ୍ତି ଅନ୍ଧାର ଦୂରେଇବାର ନ୍ୟାୟରେ।


ଜକଜକ ଦିଶିଯାଉଛି 

ନିର୍ବିକାର, ଅବିଚଳ, ଶେଥା ପଡ଼ିଥିବା ବାପାଙ୍କର ପ୍ରଶାନ୍ତ ମୁହଁ

ପ୍ରବାସର ଦୁର୍ଭାଗ୍ୟ ନେଇ ଆତଙ୍କିତ ପୁଅ

ଜୀବନର କଠୋର ସତ୍ୟର ନିବାରଣ ମୋହରେ ଜଗନ୍ନାଥଙ୍କ ଶରଣାପନ୍ନ।


ବାର ବାର ନିଜକୁ ଭାଗ୍ୟବାନ ମଣେ

ଜୀବନ ଜିଇଁବାର ସୂକ୍ଷ୍ମକଳା କାହାଠୁ ଆହରଣ କରେ

ପ୍ରତି ପଦପାତରେ କାହାର ଅମୀୟ ଆଶିଷ ଅନୁଭବ କରେ

ମୋ ଜୀବନର ସୁଗମତା ପାଇଁ କାହାର ତୀକ୍ଷ୍ଣ ଆଖି ସଦା ତଦାରଖ କରୁଥିବାର ପ୍ରତ୍ୟକ୍ଷ କରେ।

ଏ ସବୁର ଯବନିକା ଭାବନାରେ କଲିଜା ଥରେ।


ଏବେ ଅଧ ରାତିରେ ନିଦ ଭାଙ୍ଗି ଯାଉଛି

ସପନରେ ବିଳି ବିଳେଇ ହେଉଛି

ଅସୁସ୍ଥ ବାପାଙ୍କ କଥା ଭାବି ଭାବି

ଅନ୍ୟମନସ୍କ ରହୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract