ନୂଆ ବର୍ଷ
ନୂଆ ବର୍ଷ
ନା, ଆଉ ନୁହେଁ
ତା' ପ୍ରଲୋଭନରେ ଭଳିଯିବା ଜନ୍ତୁ ମୁଁ ନୁହେଁ।
ସବୁଥର ତା'ହିଁ ହୁଏ
ଅନେକ ମାଗୁଣି, ଅନେକ ଯାଚଜ୍ଞା ଦେଇ ସେ ଆସେ
ପ୍ରଚୁର ଖୁସି, ପର୍ଯ୍ୟାପ୍ତ ଆନନ୍ଦର ଲୋଭ ଦେଖେଇ ପାଖରେ ବସେ
ଚୁପିଚୁପି କାନରେ କହେ
"ଏଇ, ବଲବଲ ଅନେଇଛୁ କଣ?
ଦେଖ୍, ମୁଁ ଆସିଛି
ଅଜାଡ଼ି ଦେବି ସଫଳତା
ମନେ ଭରିବି ସରସତା
ଦୂରେଇ ଦେବି ହଟହଟା।"
ପରେ ଯୋଉ କଥାକୁ ସେଇ କଥା।
ଥରେ ନୁହେଁ କି ଦି'ଥର
ଘଟୁଥାଏ ବାର ବାର
ଶୀତୁଆ ରାତିର ଘନ ଅନ୍ଧକାରେ
ତା ବାଟକୁ ଅନିଶା କରେ
ନାନା ପ୍ରତିଶ୍ରୁତି, ଆଶ୍ୱାସନାର ବାଣୀ
ପାଣିର ଗାର ସାଜେ।
ବେଶୀ ଦୂର କାହିଁକି ଯାଉଛ
ଗଲାସନ କଥା ଦେଖୁନ !
ଗୋଟା ରାତି ତା ପାଇଁ ଉଜାଗର
ଧୂପ, ଦୀପ, ଆରତିର ଆୟୋଜନ
ଜଣାଣ, କୀର୍ତ୍ତନ, ମନ୍ଦିର ଗମନ
କଣ ଫଳିଲା ----
ବୈଶାଖର ତାତି ବୃଦ୍ଧି
ପିପିଲି ଧର୍ଷଣର ଅପ୍ରସିଦ୍ଧି
ନକ୍ସଲବାଦୀଙ୍କ ଆତଙ୍କ
କଳାଧନ, ଚାଷୀ ଆତ୍ମହତ୍ୟାର ଭୂକମ୍ପ
ବନ୍ୟା, ବାତ୍ୟା, ମରୁଡ଼ିର ପ୍ରକୋପ
ଜାପାନୀ ଜ୍ୱର, ଶିଶୁ ମୃତ୍ୟୁର ବିଳାପ।
ଦାରିଦ୍ର୍ୟ, ଅପପୁଷ୍ଟି, ବେକାରି
ଅପମୃତ୍ୟୁ, ଶିଶୁବିକ୍ରୀ, ବେମାରି
ବଧୂହତ୍ୟା, ରାହାଜାନି, ଜାନାକାରି
ଲାଞ୍ଚୁଆ, ମିଛୁଆ, ଭିକାରି।
କୋଉଥିରେ କମି ଘଟିଲା କି !
ଖାଲି ଗତବର୍ଷ କାହିଁକି
ଓଲଟାଇ ଦେଖ ପାଞ୍ଜିର ପୃଷ୍ଠା
ସବୁବର୍ଷ ସେଇ ଏକା କଥା
ନୂଆ ବର୍ଷ କିଛି ନୂଆ ଆଣେନା
ଘଟୁଥାଏ ଯାହା ଘଟିବାର କଥା
ନୂଆ ବର୍ଷ ନାଁରେ କ୍ରମିକ ସଂଖ୍ୟା ଯାହା ବଦଳୁଥାଏ।
ଜୀବନ ଅଛି ତ ---
ଦୁଃଖ ଅଛି, ସୁଖ ବି
ଝାଞ୍ଜି ଅଛି, ଶୀତ ବି
ଦୈନ୍ୟ ଅଛି, ପ୍ରାଚୁର୍ଯ୍ୟ ବି
ହାନି ଅଛି, ଲାଭ ବି
ଅନ୍ଧାର ଥିଲେ ତ ବାରି ହେବ ବାଳୁତ ସୂର୍ଯ୍ୟର ପହିଲି କିରଣ।
ଉଠାଣି-ଗଡାଣିର ଚଉହଦୀରୁ ନୂଆବର୍ଷ ବା କେମିତି ବାଦ୍ ପଡ଼ନ୍ତା !!
ନୂଆବର୍ଷ ଆସୁଛି, ଆସୁ
ଏଥିରେ ନୂତନତା ବା କଣ।
ହଁ, କ୍ୟାଲେଣ୍ଡର ଅବଶ୍ୟ ବଦଳେ
ଆୟୁଷରୁ ବର୍ଷଟେ ଊଣା ହେଲା ବୋଲି ସୂଚାଏ
କିଛି ସଂକଳ୍ପ ରୂପ ନ ନେଉଣୁ ମଉଳିଯାଏ
ଭୋଜିଭାତର ମଉଛବ ବଢ଼ିଯାଏ।
ବଢ଼ୁ, କ୍ଷତି ଵା କଣ
ଜୀବନ ଜିଇଁବା ପାଇଁ ଉଦ୍ଦୀପନା ଯେ ଲୋଡ଼ା !!!
ନୂଆବର୍ଷ ସାଜୁ ସେଇ ଉଦ୍ଦୀପନା
ସକଳ ବିମର୍ଷ ଭିତରେ ମିଳୁ
ଧାପେ ନିରୁତା ଉନ୍ମାଦନା
ତାହାହିଁ ହେଉ ନୂଆବର୍ଷର କାମନା ।।
