ଅଧୁରା କାହାଣୀ
ଅଧୁରା କାହାଣୀ
ଅଶାନ୍ତ ସାଗର ବେଳାଭୂମି
ପାଦ ମୋ ଲହରୀଯାଏ ଚୁମି
ମୁକୁତା ମାଣିକ ବୋଲି ଭ୍ରମି
ଫୁଲ ଫଗୁଣରେ ଝୁମିଝୁମି
ଜୀବନେ ସପନ ଭରେ,
ଶୀତୁଆ ସଂଜର ମନକାଚ଼ଘରେ
ପ୍ରଣୟ କାମନା ଘାରେ ॥
ସଜଳ ସ୍ମୃତିର ଶିଶିରରେ
ପୀରତି ପଖଳା ଅଭିସାରେ
ମୋ ପ୍ରିୟ ନୟନ ଇଶାରାରେ
କାଶଫୁଲେ ସାଜି କବରୀରେ
ସନ୍ନ୍ୟାସିନୀ ସମଦିଶେ,
ଭିଜା ଶ୍ରାବଣରୁ ମଧୁର ବସନ୍ତ
ଅବିରାମ ସହବାସେ ॥
ପ୍ରିୟର ଅଧରାମୃତ ପାନ
ଲୋଡ଼ୁଥିଲା ସଦା ଏଇ ମନ
ସର୍ବଦା ଆବଦ୍ଧ ଏ ଜୀବନ
ପ୍ରିୟତମ ଦୃଢ ଆଲିଙ୍ଗନ
ଆଶାରେ ରହିଲା ଆଶା,
ଝରାବଉଳ ମୁଁ କୁହୁଡି ପରଶେ
ଝଡି ଯାଏ ପାଇ ଦଶା ॥
ପ୍ରଣୟିନୀ ମୁହିଁ ପ୍ରେମିକର
ଅବ୍ୟକ୍ତ ବିରହ ବେଦନାର
ମରୁ ମରୀଚିକା ସପନର
ତନୁମନେ ଦିଏ ଗୁରୁଭାର
ପ୍ରେମ ମୋ ଅଫେରା ନଈ,
ଥରେ ସେ ସୁଅରେ ଭାସିଗଲା ପରେ
ଥଳକୁଳ ମିଳେ ନାଇଁ ॥
ବିରହ ବିଧୁରା ପ୍ରାଣଧାରା
ପ୍ରେମର ମହକେ ଚିତ୍ତଚୋରା
ଜହ୍ନ ଜୋଚ୍ଛନାରେ ଓଦାପରା
ପ୍ରୀତି ରଙ୍ଗମଖା ଅପାଶୋରା
ମାୟାମୟ ଶୂନ୍ୟତାରେ,
ପ୍ରିୟର ସରାଗ ଆଖିଠାର ମାରେ
ମୋ ନିଷିଦ୍ଧ ଇଲାକାରେ ॥
ହେ ପ୍ରିୟ ମୋ କଥା ଶୁଣି ଯାଅ
ପ୍ରତୀକ୍ଷାରେ ସଖା ଚାହିଁଥାଅ
ଦେହର ପରଶ ଖୋଜା ଦେହ
କେତେ ବା ଦହନ ସହୁଥିବ,
ଅଧା କାହାଣୀର ଲୁହ ?
ଆହାର ନିଦ୍ରା ଭୟ ମୈଥୁନ଼କୁ
ଜିଣି କେ ପାରିଛି କୁହ ?
ଏ ଜୀବନ ପ୍ରେମ କାହାଣୀର
ଅଧୁରା ରାଗିଣୀ ଗାଇବାର
ବିରହର ସ୍ମୃତିଚାରଣର
ଶାଶ୍ଵତ ଛନ୍ଦର ରୂପକାର
ଚୋରା ଚାହାଣୀର କଥା,
ଆଖି ଖୋଲିଦେଲେ ଅମା ଅନ୍ଧକାର
ଓଦା ହୁଏ ଆଖି ପତା ॥
କିଛି ମାନ କିଛି ଅଭିମାନ
କିଛି ପ୍ରୀତି ଭରା ଏଇ ମନ
ପ୍ରେମ ଛଳଛଳ ଯଉବନ
ଆଲୋକେ ଅନ୍ଧାର ଏ ଜୀବନ
ଚଲାପଥ କଣ୍ଟକିତ,
ପ୍ରିୟର ଉଷୁମ ନିଃଶ୍ୱାସ ନିଶାରେ
ହୃଦ ହୁଏ ଦ୍ରବୀଭୂତ ॥
ଯାଅନାହିଁ ପ୍ରିୟ ଦୂରେ ଦୂରେ
ତମସା ନଦୀର ଆରପାରେ
ଘୁରି ବୁଲେ ମୁହିଁ ବିଜନରେ
ପ୍ରେମ ତରୀ ବାହି ଧୀରେ ଧୀରେ
ଛନଛନ ହୁଏ ଛାତି,
ଅଧୁରା କାହାଣୀ ପୂରା କରିବି ମୁଁ
ନିର୍ଭୟେ କରି ପ୍ରୀତି ॥
ଫୁଲ ମୁଁ ତୁମେ ମୋ ପ୍ରିୟବର
ନାୟିକା ମୁଁ ତୁମ ନାଟକର
ସରସ ସଂପର୍କ ବିଦେହର
ହାରିବା ଜିତିବା ନୁହେଁଚିର
ଅନୁପମା ପ୍ରାଣସତ୍ତା,
ତୁମ ସହଚର ପ୍ରେମିକ ପ୍ରବର
ତିଳେନୁହେଁ ସେ କୁଣ୍ଠିତା ॥
