ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ସକଳ ଜୀବନ ଦାୟକ ସବିତା
ଦିଗନ୍ତର କୋଳେ ଜନ୍ମ,
ନଭମଣ୍ଡଳର ଧୂମ୍ରାଭ ଦିଗନ୍ତେ
ସାୟମ୍ କାଳେ ହୋନ୍ତି ଲୀନ ।
ସୃଷ୍ଟିର ମୂଳାଧାର ବିକାଶର
ଆଉ ବିନାଶର ହେତୁ,
ପ୍ରଶାନ୍ତ ଅନନ୍ତ ଦିଗନ୍ତବକ୍ଷରେ
କ୍ରମ ବିକାଶର ସେତୁ ।
ଉଦୟେ ତପନ ଅରୁଣାଭ ବର୍ଣ୍ଣ
ଅସ୍ତକାଳେ ତାମ୍ର ଦିଶେ,
ସମ୍ପଦେ ବିପଦେ ଏକରୂପଧର
ଦିବ୍ୟ ସାଧୁତା ପ୍ରକାଶେ ।
ତିମିରନାଶନ ଦେବ ବିବସ୍ଵାନ
ପାଳନ କରନ୍ତି ଧର୍ମ,
ଦିଗନ୍ତ ଲପନେ ଆଙ୍କି ଦେଇଥାନ୍ତି
ଛନ୍ଦ ପତନର ମର୍ମ ।
ଚିରଦିନ ବ୍ୟୋମ ରହିଛି ଅସୀମ
ଅନନ୍ତ ତାହାର ସୀମା,
ସକଳ ଦୃଶ୍ୟ ସଂନ୍ଦର୍ଶନ କରେ
ବ୍ୟାପ୍ତ ସେ ଭୂ ଠାରୁ ଭୂମା ।
ଦିଗନ୍ତରଶୋଭା ଦିଶେମନୋଲୋଭା
ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତରେ,
ବାରୁଣୀଆକାଶେ ମନ୍ଦ ମନ୍ଦହସେ
ସଞ୍ଜ ତାରା ମୁହଁ ମିଶେ ।
ସୁପ୍ତ ନିଶିଥିନୀ କ୍ଲାନ୍ତ ବିଭୋରେ
ବିୟୋଗ ଗୀତିକା ଗାଏ,
ପ୍ରଭାତୀ ତାରକା ଦିଗନ୍ତେ ଶୁଭ୍ର
ଜ୍ୟୋତିର ଝଲକ ଦିଏ ।
ମାନବ ଜୀବନ ପନ୍ଥା ମାର୍ଗର ସ୍ଥିତପ୍ରଜ୍ଞ ଏ ଦିଗନ୍ତ ,
ହରଷ ବିଷାଦ ବିବାଦ ପ୍ରମାଦ
ଆନନ୍ଦ ଲାଗେ ଜୀବନ୍ତ ।
ସାଧୁସନ୍ନ୍ୟାସୀର ଆଭୂଷଣ କେବେ
ରକ୍ତିମ ତା ଆଭରଣ,
ପ୍ରଭାତେ ଶିଶୁର ମଧ୍ୟାହ୍ନେ ଯୁବାର
ପ୍ରଦୋଷେ ବୃଦ୍ଧ ସମାନ ।
ଆଲୋକ ଅନ୍ଧାର ଜନମ ମରଣ
ଛାୟା ପରି ଦେହେ ଧରି
ଦିଗନ୍ତ ଉର୍ଦ୍ଧ୍ୱେ ନିରବ ନିଥର
ଅବିଚ଼ଳତା ସଂଚାରି ।
ଜୀବନର ଚିରନ୍ତନ ନୀତି ମାନି
ଦିଗନ୍ତ ଅଟଳ ଥାଏ,
ବିସ୍ମୟ ଭରି ସଂଶୟ ଘେରି
ଉଷ୍ଣତା ଶୀତଳ ପାଏ ।