ଦୋଛକି
ଦୋଛକି
॥୧॥
ଏ ଜୀବନ ପଥ ସର୍ବଦା ଉନ୍ମୁକ୍ତ
ଲକ୍ଷ୍ୟ ସ୍ଥିର କରିବାକୁ ହୁଏ,
ସୂରୁଜକୁ ମୁଠା କରି ଧରିବାର
ଅଥକ ପ୍ରୟାସ ମନେହୁଏ ॥
॥ ୨॥
ଅସମତାର ଏ ବିଷବୃକ୍ଷ ଛାଇ
ମଣିଷ ଦେହରେ ଯାଇ ବାଜି,
ଜଳିଉଠେ ଜାଳିଦିଏ ଅବା କେବେ
ସଇତାନ୍ଟିର ରୂପ ସାଜି ॥
॥ ୩॥
ଦୁଃଖସୁଖ ହସକାନ୍ଦ ସତମିଛ
ବ୍ୟକ୍ତ ଅବ୍ଯକ୍ତ ଏ ଉଠାଣି,
କେବେ ଆବୃତ୍ତ କେବେ ଅନାବୃତ୍ତ
ଏ ଇଚ୍ଛା ଅନିଚ୍ଛାର କାହାଣୀ ॥
॥ ୪॥
କେବେ ଏ ଜୀବନଗୋଟିଏରାସ୍ତାରେ
ହୁଏ ନାହିଁ ପରା ଧାଵମାନ,
ନଦୀ ପରି ମନ ବହି ଯାଉଥାଏ
ସୁଅର କେ କରେ ଆକଳନ ?
॥୫॥
ମନରେ ତୁମୁଳ ଯୁଦ୍ଧ ଲାଗିଛି
ବିବେକ ଆଉ ମନର ତୁଲେ ?
ଝିଙ୍କାରୀର ସ୍ଵନ ସିଂହର ଗର୍ଜନ
ମନ ଅରଣ୍ୟରେ ଯାଇ ହଜେ ॥
॥ ୬॥
ସୁନା ପରିଜଳେ ରଡନିଆଁ ରେ ମୁଁ
ଏଇ ସମୟର ଚୁହ୍ଲା ପରେ,
ବହ୍ନି ଗୀତିକା ଭିନ୍ନ ନାୟିକା
ଗାଏ ନିଜ ହୃଦୟଜ୍ବାଳାରେ ॥
॥ ୭॥
ବିଦାରି ଦେଉଛି ଏ ଜୀବନ ମତେ
ଝରାଇ ଧୂସର ଲୁହ ଲହୁ,
ଚିତ୍କାର ମୋର ଶୁଭୁନି କାହାକୁ
ଗ୍ରାସ କରେମତେ କାଳ ରାହୁ ॥
॥୮॥
ଦୁଇଟି ରାସ୍ତା ଅଗ୍ରତେ ମୋର
ସୁନ୍ଦର ପୁନଶ୍ଚ ଅସୁନ୍ଦର,
ଗୋଟିଏ ପଥ ତ ସରଗ ଆଡକୁ
ଆରଟି ଲକ୍ଷ୍ୟ ନରକ ପୁର ॥
॥ ୯॥
ଗୋଟିଏ ପଥରେ ପାଦପୋଡିଯାଏ
ଆନ ଦିଏ ସ୍ମିଗ୍ଧ ଶୀତଳତା,
ପିକ କୁହୁ ଗୀତ ଶୁଭେ ଏକପଥେ
ଭରିଦିଏ ମନେ ମାଦକତା , ॥
॥୧୦॥
ଜାଣେନା କୁଆଡେ ଯିବିମୁହିଁଏବେ
ସରଗ ନରକ ବାଟ ଛାଡ଼େ,
କେବଳଗୋଟିଏ ଆଶାରଖେମୁହିଁ
ସଫଳତା ଅଛି ଯେଉଁ ଆଡେ ॥
॥୧୧॥
ନିଶ୍ଚିତଖୋଲିବ ତୃତୀୟବାଟଟେ
ମୋ ଲାଗି ଯିବି ମୁଁ ସେଇ ପଥେ,
ସଂକଳ୍ପ କରିଛି ଆଉ ଫେରିବିନି
ଦୋଛକିର ସେଇଶୂନ୍ୟ ପଥେ ॥