କ୍ରୋଧର ନିଆଁ
କ୍ରୋଧର ନିଆଁ
ଲୋଭାତ୍ ଭଵତି ସଂମୋହମ୍
ସଂମୋହାତ୍ ସ୍କୃତି ବିଭ୍ରମ
ସ୍ମୃତି ଭ୍ରନ୍ଶାତ୍ ବୁଦ୍ଧି ନାଶ
ବୁଦ୍ଧି ନାଶାତ୍ ପ୍ରଣଶ୍ୟତି ।
ଜଗତ ବକ୍ଷରେ
ବିଧାତାର ବରେ
ଶ୍ରେଷ୍ଠ ଏ ମାନବ ଜାତି,
ସବୁ ପ୍ରାଣୀଠାରୁ
ଅଟଇ ସେ ଗରୁ
ସଦାଶୟ ଦୃଢମତି ।
ଆହାର ବିହାର
ନିଦ୍ରାଭୟଙ୍କର
ମୈଥୁନ କରମ ଚାରି,
ପଶୁ ଓ ମଣିଷ
ମଧ୍ୟରେ ବିଶେଷ
ସମାଜେ ଶାସ୍ତ୍ର ବିଚାରି ।
ଲୋଭରୁ ସଂମୋହେ
ଜାତ ହୁଏ ଦେହେ
ସଂମୋହରୁ ସ୍ମୃତିଭ୍ରମ,
ସ୍ମୃତିଭ୍ରମ ହେଲେ
ବୁଦ୍ଧି ନାଶେ ହେଳେ
ବୁଦ୍ଧି ନାଶେ ନିଏ ଯମ ।
କ୍ରୋଧହୁଏ ଜାତ
ମନରେ ସତତ
କାମନା ଅପୂର୍ଣ୍ଣ ହେଲେ,
ବାସନା ଚକ୍ରରେ
ମାନବ ଭ୍ରମରେ
ହିତାହିତ ଜ୍ଞାନ ଭୁଲେ ।
ସେ ଶତ୍ରୁ ପରମ
ଭୁଲେ ନାମଧାମ
ସଂପର୍କ ସେନେହ ପ୍ରୀତି,
କ୍ଷଣିକରେ ନାଶି
ବିବେକକୁ ଧ୍ଵଂସି
ପଶୁ ଭାବନାରେ ମାତି ।
ନିଆଁଯେଉଁ ପରି
ନାଶେ ଗ୍ରାମପୁରୀ
ନିମିଷେ ନକରି ଡେରି,
କ୍ରୋଧକୁ ଆୟତ୍ତ
ନ କରେ ମହତ
ଜନ ହୁଏ ତଥା ସରି ।
ବୁଦ୍ଧି ଜ୍ଞାନ ନାଶେ
କ୍ରୋଧର ଆବେଶେ
ଚକ୍ଷୁ ଅନ୍ଧ ହୋଇଯାଏ,
ସ୍ଥାନ କାଳ ପାତ୍ର
ବିଚାର ଅନ୍ତତଃ
ନରହେ ମାନବ ଦେହେ ।
ମସ୍ତିଷ୍କ ଆମର
ହୋଇ ସ୍ୱାର୍ଥପର
ମନର ଘୋଡାରେ ବସେ
ଯାବତ ଦୁଷ୍କର୍ମ
କରଇ ଉଦ୍ୟମ
ନିଜର ସ୍ଵାର୍ଥର ବଶେ ।
ଧନ ଲୋଭ ଭୋଗ
ଆଣଇ ଦୁର୍ଯୋଗ
ସୁଖ ପ୍ରାପ୍ତି ଆଶା ପାଇଁ
ଏ ସାର ଜନମ
ଜୀବନ ଧରମ
କିଛି ଆଉ ଦିଶେନାହିଁ ।
କେତେଦିନ ଆମେ
ଏଇ ଧରାଧାମେ
ବଂଚିରହିଅବା ଥିବା
କାଳ ପୂରି ଯିବ
ଯମ ଧରିନେବ
ଅମର ପୁରକୁ ଯିବା ।
ଅମୃତ ସନ୍ତାନ
ସୁଖର ସନ୍ଧାନ
ନିମନ୍ତେ ହୋଇ ବ୍ୟାକୁଳ,
ତା କ୍ରୋଧର ନିଆଁ
ଜାଳେ ଏ ଦୁନିଆଁ
ଫେରେନାହିଁ ଆଉ ବେଳ ।