ନିଷିଦ୍ଧ ଇଲାକା
ନିଷିଦ୍ଧ ଇଲାକା
ଆମେ ସବୁ
ସତ୍ୟକୁ କେତେ ଢାଙ୍କିବା ?
ସେ ପା ଓର ଉଣ୍ଡୁଥିବ
ପ୍ରକଟ ହବାକୁ,
ନିର୍ମୁକ୍ତ ହବାକୁ .
ଆଖି ମୁଦି ଦେଖନା
ସ୍ରୋତର ପଥରୋଧ କଲେ ଶକ୍ତ
ହେବ ଭାଙ୍ଗିବାର ପଣ.
କଟକଣା ବଢିଲେ
ପାଚେରୀ ଡେଇଁବା ଇଚ୍ଛା
ବଳବତୀ ହୁଏ ନା
ପ୍ରତିଶୃତିର ନିଆଁ ପ୍ରତି ଆମେ ଉଦାସୀନ
ଛଳନାର ମୁଖା ପିନ୍ଧା
ମିଛ ଅଭିନୟେ
ନିଷିଦ୍ଧାଞ୍ଚଳର ଆକର୍ଷଣ ବସା ବାନ୍ଧି
ଘର କରି ନେଇଚି ନା ?
ଦେହକୁ କିଳ,
ମନଟାତ ଅହରହ ବିକଳ
ବ୍ୟାକୁଳ ଦେଖିବ଼ ସେ ନିଷିଦ୍ଧ ଅଞ୍ଚଳ
ଜିଦ୍ ଧରି ବସିଛି
ଶୀତ ଦିନରେ ଉଷୁମ
ଖରାଦିନେ ଥଣ୍ଡା ପା
ସୁନାଶିକୁଳିର ପଘାରେ
ଅଦୃଶ୍ୟ ବନ୍ଧନ
ସ୍ୱେଦର ସ୍ଵାଦ
ଚୁମ୍ବନର ଶବ୍ଦ ସୁମଧୁର
ରତି ରାଗର ଅସ୍ପଷ୍ଟ ସଙ୍ଗୀତ
ବିହ୍ଵଳିତ କରୁଛି ପରା
ସଂସ୍କୃତିର ମୃତ ଆତ୍ମା
ବୋଲ ମାନୁ ନାଇଁ ଆଦୌ
ବଡ ବେଲଜ୍ଜ ନିର୍ଲଜ ଏ
ନିଷିଦ୍ଧାଞ୍ଚଳର ଭୋକ ?
ଗଭୀର ନିଦ୍ରାରେ
ଶାଣିତ ତୃଷ୍ଣାରେ
ଧୂସର କାମନାର ରଜନୀ ଗନ୍ଧା
ଚହଟି ଉଠୁଥାଏ
ଦାଦା ଗିରି ଜାହିର୍ କରିବାରେ ଓସ୍ତାଦ୍
ଏ ନଗ୍ନ ମନ ଆମର ନା ?
ଶୀତଳ ନିଆଁରେ ସ୍ନାନାର୍ଥୀଙ୍କ
ଖୁଉବ୍ ଭିଡ ପା
ଦେହମନ୍ଦିରରେ ବେଢାବୁଲା
ଭାବ ସଂପାଦିବ
ଭାଷା ପ୍ରକାଶିବ
ଓଠରେ ଛୁଇଁବ
କଟାକ୍ଷ ହାଣିବ
ମୃଦୃକଣ୍ଠେ ଆଳାପ କରିବ
ଦେହ ଅରଣ୍ୟର ଏ ନିଷିଦ୍ଧାଞ୍ଚଳରେ
ମନଇଚ୍ଛା ଇଚ୍ଛାମତୀ ନଦୀର
ଏ ବଢନ୍ତା ସୁଅରେ ?
ଏ ନିଷିଦ୍ଧାଞ୍ଚଳ
ଦେହର ଦରଜ ମାରେ
ମନର ବାସନା ମରେ ,
ନୀଳ ତୃଷ୍ଣା ପ୍ରଲୋଭନ ଘାରେ
ଲାଜ ସଢିଯାଏ ମରମରେ
ସମର୍ଥ କ୍ଷୁଧାରେ
ସମକକ୍ଷ ପ୍ରେମରେ
ଆକାଶ ପବନ ପୂର୍ଣ୍ଣ ହୁଏ
ପ୍ରଭାତରୁ ବିସ୍ଫୋରଣ
ମଧ୍ୟରାତ୍ରି ଦୀର୍ଘ ନିଃଶ୍ୱାସ ଛାଡେ ,
ଗୋପନୀୟ ସମର୍ପଣ
ପ୍ରେମମନ୍ତ୍ର ପଢେ
ଦେହର ନୈବେଦ୍ୟ ବାଢେ
ନିଷିଦ୍ଧ ଅଞ୍ଚଳେ ଅନ୍ଧାର ଗଳିରେ
ଆକର୍ଷଣ ବିକର୍ଷଣର
ଚୁମ୍ବକୀୟ କ୍ଷେତ୍ରରେ
ନିଷିଦ୍ଧ ନିର୍ବାଣ ଲୋଡ଼େ ଆମମନସବୁ
ନିଷିଦ୍ଧ ଅଞ୍ଚଳରେ .
ଏ ଶରୀର ମୁକ୍ତ ହେବ
ଅଣଚାଶ ପବନ ବହିବ
ଉତ୍ତାପର ଉତ୍ତାପ ମାପିବ.
ପ୍ରେମ ପୁରୁଷ କି ସ୍ତ୍ରୀ କହିବ
ଅସିଦ୍ଧ କି ଳଳିତ ଶୃଙ୍ଗାର ଜାଣିବ
କାମନାର ଅଦିନିଆ ନିଆଁ
ମନର ଓରମାନ଼ ମେଣ୍ଟାଉଥିବ
ପ୍ରୀତି ବର୍ଷାରେ ଭିଜି ଭିଜି
ପ୍ରେମ ସପ୍ତପଦୀ କବିତା ଲେଖିବ
ଏ ନିଷିଦ୍ଧାଞ୍ଚଳ ପୁନେଇଁ ରାତିରେ
ସୁନା ଜହ୍ନର ମୁକୁଟ ପିନ୍ଧିବ ।