ବଦନାମ ଗଳି
ବଦନାମ ଗଳି
ଅକସ୍ମାତଦିନେ ଚାଲୁଚାଲୁ ଚାଲି
ମୁଁ ଗଲି ଯେଣେ ।
ବଦନାମ ଗଳି
ବୋଲିଲେଖାଥିଲା
ଅରମାବଣେ ।
ଆକର୍ଷଣ ହେଉ ଦେହ ମନ ପ୍ରାଣ
ଅବା ଅର୍ଥର ।
ନାମ ବଦଳରେ ବଦନାମ ମିଳେ
ଖାଲି ସ୍ୱାର୍ଥର ।
ପେଟରେ ଭୋକର ତୀବ୍ର ତାଡନା
ହୁଏନା ସହି ।
ଜାଣିଛ କି ନାହିଁ ତମେ ମୁଁ ଦେଉଛି
ଏଇ ନା କହି ।
କ୍ଷୁଧା ସମ କେହି ନାହିଁ ବଳିୟାର
ଜାଣେ ଜଗତ ।
କହିବା କରିବା ଶୁଣିବା ଦେଖିବା
ଫର୍କ ବହୁତ ।
ଜାଣିଥିଲି ଖାଲି ବଦନାମ୍ ଗଳିଟେ
ତଥାପି ଗଲି ।
ନାମ ବାହାରିବ ବଦନାମ ଗଳିରୁ
ଆଶା ରଖିଲି ।
ଜଳୁନି ଆଲୁଅ ବୁଲୁନି ପୁଲିସି ସେଣ୍ଟ୍ରି
ଦୁଆର ଆଗେ ।
ରଜନୀ ଗନ୍ଧା ର ଗନ୍ଧେ ବିଭୋର
ତରୁଣୀଟିଏ ।
ଆଖିରେ ଲାଖିଛି ଲାଜୁକି ରଙ୍ଗିଲା
ଚାହାଣୀଟିଏ ।
ଓଠ ଥରଥର ନିର୍ଜୀବ ନିଥର ଶୁଷ୍କ
ପରାଣଟିଏ ।
ଚିନ୍ହା ଲାଗିଲା ମୁହଁଟା ଦେଖିଲି
ନିଠେଇକିନା I
ସହପାଠିନୀ ସେ କଲେଜବେଳର
ନିତ୍ୟନୂତନା ।
ବୟସ ଯାଇନି ଦେହରୁ ସିନା ତା
ମନୁ ଯାଇଛି ।
କଥାକୁହା ଆଖି ଦୁଇଟିରେ ଖାଲି
ପୀଡା ଲୁଚିଛି ।
ଶୁଣିଥିଲି ଥରେ କେବେ ତା ଅନ୍ତର୍ଦ୍ଧାନ
ଜନମୁଖରେ ।
ବିଶ୍ୱାସ ହେଲାନି ତା ପଳେଇ ଯିବା
କାହା ସାଥିରେ ।
ଭାବୁଥିଲି ଘରଟିଏ କରି ପ୍ରେମିକର
ସାଥିରେ ଥିବ ।
ଭାବି ନ ଥିଲି ବଦନାମ ଗଳିରେ
ତା ଭେଟ ହେବ ।
ଦୁହେଁଥିଲୁ ଆମେ ଗୋଟିଏ ଜୀବନ
ପଢିଲା ବେଳେ ।
ଏକାଠି ବଂଚିବା ସ୍ଵପ୍ନ ଦେଖୁଥିଲୁ
ପ୍ରେମ ବିହ୍ଵଳେ ।
ଏତେ ଦିନ ପରେ ଦେଖିଦେଇ ମତେ
କାନ୍ଦି କହିଲା ।
ଆରେ ଆଶୁ ତୁମେ ଯେଉଁ ଦିନ ଛାଡି
ଦେଲ ଏକଲା ।
ଟିୟୁସନ ସାର୍ ପ୍ରେମ ନିବେଦିଲେ
ଦେଲି ଏତଲା ।
ଗୁଣ୍ଡା ଧରି ଘରୁ ଉଠାଇ ଆଣି ସେ
ଦୁଷ୍କର୍ମ କଲା ।
ବାପା ମାଆ ଘରେ ପୁରାଇ ଦେଲେନି
ଦୋଚାରୀ ବୋଲି।
କୁଆଡ଼େ ଯିବି ମୁଁ ଜୀବନ ହାରିବି
ବୋଲି ଭାବିଲି ।
ରାତି କେନାଲକୁ ଡେଇଁ ପଡିଲି ମୁଁ
ସକାଳେ ଏଠି ।
ବଦନାମ ଗଳିରେ ଆଶ୍ରା ନେଇଛି
ପାରୁନି ଉଠି ।
ହାତ ତା ଧରିଲି ମୋ ମନ ଛୁଇଁଲା
ତାହାର ବ୍ୟଥା ।
ମନ କହୁଥିଲା ଗଳି ବଦନାମ
ନୁହେଁ ସର୍ବଥା ।
ଚଣ୍ଡୀ ମନ୍ଦିରରେ ସିନ୍ଦୂର ପିନ୍ଧାଇ
ଘରେ ରଖିଛି ।
ବଦନାମ ଗଳି ନାଆଁଟାକୁକେବେ
ନୁହେଁ ମୂରୁଛି ।
କାହାଲାଗି ସିଏ ବଦନାମ ଗଳି
ମୋ ପାଇଁ ନୁହେଁ ।
ଜୀବନସାଥିକୁ ଭେଟାଇ ଦେଇଛି
ତାଗୁଣ ଗାଏ ।
ନାମ ସିନା ଅଟେ ଦୁଇଟି ଅକ୍ଷର
ଏ ବଦନାମ ।
ଚାରିଅକ୍ଷରର
ଭିତରୁ ବାହାରି
ଦେଖାଏ କାମ ।