ପଦ୍ମ
ପଦ୍ମ
ପୋଖରୀ ପାଣିରେ ପଦ୍ମ ଫୁଟିଅଛି
ଦିଶୁ ଅଛି କି ସୁନ୍ଦର
ସମୀର ସାଥିରେ ନାଚେ ଢଳ ଢଳ
ଆକାଶେ ଥିଲେ ଭାସ୍କର ।
ଅତି ମନୋହର ଚେହେରାଟି ତାର
ସବୁ ମନ ନିଏ ମୋହି
ବିଭିନ୍ନ ରଙ୍ଗରେ କି ସୁନ୍ଦର ତାକୁ
ଗଢି ଅଛି ଦେଖ ବିହି ।
ପଙ୍କରୁ ସୃଷ୍ଟି ସେ ପଙ୍କଜର ନାମ
କମଳ ବି ବହି ଥାଏ
କିଏ କହୁଥାଏ ନଳିନୀ ତାହାକୁ
ଜଳଜ ଉଦ୍ଭିଦ ଟିଏ ।
ରଙ୍ଗ ବେରଙ୍ଗର ପୋଖରୀରେ ଫୁଟି
ଶୋଭା ତା ବଢେଇ ଦିଏ
ପଦ୍ମଫୁଲ ଦେବା ଦେବୀଙ୍କର ପ୍ରିୟ
ହସ୍ତେ ଧରି ଥାନ୍ତି ସିଏ ।
ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ
ଲକ୍ଷ୍ମୀ ପୁରାଣେ ବର୍ଣ୍ଣିତ
ଶ୍ରୀୟା ଚାଣ୍ଡାଳୁଣୀ ପଦ୍ମ ଫୁଲ ଦେଖି
ବଳି ଥିଲା ତାଙ୍କ ଚିତ୍ତ ।
ଶ୍ରଦ୍ଧା ଭକତିରେ ଦେଇ ପଦ୍ମ ଫୁଲ
ମା' କୃପା ଲାଭ କଲା
ସେଥିପାଇଁ ପ୍ରଭୁ ତଡି ଦେଇଥିଲେ
ପୁରାଣେ ଚର୍ଚ୍ଚିତ ହେଲା ।
ନୀଳ ପଦ୍ମ ଥିଲା ଦୁର୍ଗାଙ୍କର ପ୍ରିୟ
ରାମ ଦେଇ ପୂଜି ଥିଲେ
ପଙ୍କଜ ନୟନ ତାଡିଲା ବେଳକୁ
ଦୁର୍ଗା ଆବିର୍ଭାବ ହେଲେ ।
ମାତା ଆଶୀର୍ବାଦେ ରାବଣ ବଧିଲେ
ସୀତାଙ୍କୁ ଉଦ୍ଧାର କଲେ
ରାମାୟଣ ତାହା ବର୍ଣ୍ଣନା କରିଲା
ବାଲ୍ଭୀକି ଯେ ଲେଖି ଥିଲେ ।
ଧନୁଯାତ୍ରା ଦେଖିବାର ପାଇଁ କୃଷ୍ଣ
ପଦ୍ମ ଭାର ନେଇଥିଲେ
କୃଷ୍ଣ ବଳରାମ ମଧୁପୁର ଯାଇ
କଂସେ ଉପହାର ଦେଲେ ।
ପଦ୍ମଫୁଲ ବିଷ୍ଣୁଙ୍କର ଅତି ପ୍ରିୟ
ଚତୁର୍ଦ୍ଧାମୂରତୀ ସିଏ
ଶଙ୍ଖ, ଚକ୍ର, ଗଦା, ପଦ୍ମ ହସ୍ତଧାରୀ
ଜଗତ ପାଳନ୍ତି ସିଏ ।
କ୍ଷୀର ସାଗରରେ ଅନନ୍ତ ଶୟନ
କରିଥାନ୍ତି ନାରାୟଣ
ପଦ୍ମ ଫୁଲ ତାଙ୍କ ହସ୍ତେ ଶୋଭାବନ
ଲକ୍ଷ୍ମୀ ଚାପନ୍ତି ଚରଣ ।
ଏଇ ପଦ୍ମ ଫୁଲ ଆମରି ଦେଶର
ଆମର ଜାତୀୟ ଫୁଲ
ତନୁ ମନ ସିଏ କରେ ବିମୋହିତ 
;
ତା ମୂଲ ଅମୂଲ ମୂଲ ।
ଅତି ସୂକ୍ଷ୍ମ ତାର ନାଡ ହେଇ ଥାଏ
ଭିତରେ ତା ଜଳ ଥାଏ
ପହଁରି ପହଁରି ମରାଳ ତାହାକୁ
ତା ଥଣ୍ଟରେ ଶୋଷି ନିଏ ।
ପାଖୁଡା ଭିତରେ ହଳଦିଆ ବର୍ଣ୍ଣ
କେଶରଟି ଥାଏ ରହି
କେତେ ଖୁସି ମନେ ତାହାକୁ ତୋଳିଣ
ଆନେକ ଯାଆନ୍ତି ଖାଇ ।
ପଦ୍ମ ଫୁଲ ଯେବେ ଶୁଖି ଯାଇଥାଏ
କେଶରଟି ମଞ୍ଜି ହୁଏ
ଖରାରେ ତାହାକୁ ଶୁଖାଇ ଭାଜିଣ
ଆନନ୍ଦେ ଖାଆନ୍ତି ସିଏ ।
ଏକାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ
ପାଖେ ଭୋଗ ଲାଗେ ସିଏ
କେତେ ସ୍ବାଦ ଭରା ହେଇଥାଏ ସିଏ
ଖାଏ ଯିଏ ଜାଣି ଥାଏ ।
ପଦ୍ମ ଫୁଲ ନାମ ଅନେକ ରହିଛି
ପଦ୍ମନୀ କହନ୍ତି କିଏ
ପଦ୍ମିନୀ ଜାତୀୟ ନାରୀ ପୁଣି ସୃଷ୍ଟି
ଏଇ ପଦ୍ମ ପାଇଁ ହୁଏ ।
ପଦ୍ମ ଫୁଲେ ନାଗ ନାଗୁଣୀ ରହନ୍ତି
ଭୟ ଲୋକେ କରିଥାନ୍ତି
ପୋଖରୀ ହୁଡାରେ ଆଙ୍କୁଡା ଲଗେଇ
ତାହାକୁ ତୋଳି ଆଣନ୍ତି ।
ବଜାରରେ ବିକ୍ରି କରିଣ ତାହାକୁ
ପରିବାର ପୋଷି ଥାନ୍ତି
ଏବେବି ଅନେକ କୃତ୍ରିମ ଉପାୟେ
ତାହାକୁ ଚାଷ କରନ୍ତି ।
ଫୁଲ ବ୍ୟବସାୟ କରି ପରିବାର
କରନ୍ତି ପ୍ରତି ପୋଷଣ
ଏଇ ପଦ୍ମ ଫୁଲ କ୍ଷଣିକରେ ପୁଣି
କ୍ରୋଧକୁ କରେ ହରଣ ।
ଏ ପଦ୍ମ ଫୁଲରୁ ପୁଷ୍କରର ମାଳ
ତିଆରି ହୋଇଣ ଥାଏ
ଗ୍ରହ ରିଷ୍ଟ କେତେ ଶାନ୍ତି ହେଇ ଯାଏ
ଗଳେ ଯେବେ ଥାଏ ସିଏ ।
ପରିବେଶ ସିଏ କରେ ମଧୁମୟ
କେତେ ଶାନ୍ତି ଆଣି ଦିଏ
ଉପମା ତାହାର ନାହିଁ ପଟ୍ଟାନ୍ତର
ସାରା ବିଶ୍ବ ମୋହି ନିଏ ।
ସ୍ବର୍ଗ ପାରିଜାତ ତା ନିକଟେ ତୁଛ
ମର୍ତ୍ତ୍ୟର ସୁମନ ଇଏ
ରାତି ପାହିଗଲେ ଜ୍ୟୋତି ପ୍ରଭାକର
ତାକୁ ଚାହିଁ ରହି ଥାଏ ।
ଅତି ମନୋହର ଏଇ ପଦ୍ମ ଫୁଲ
ହୃଦୟକୁ କିଣି ନିଏ
ଯେତେ ବର୍ଣ୍ଣନା ବି କରିଲେ ତାହାର
ସମୁଦ୍ରକୁ ଶଙ୍ଖେ ସିଏ ।