ପଦ୍ମ ବେଶ
ପଦ୍ମ ବେଶ
ବେଶ ପ୍ରିୟ ଆମ ଜଗନ୍ନାଥ ବୋଲି
ଖ୍ୟାତି ରହିଛି ତାଙ୍କର ।
କିମ୍ବଦନ୍ତୀ କହେ ମନୋହର ଦାସ
ସାଧୁ ଥିଲେ ପଶ୍ଚିମର ।୧।
ଜଗନ୍ନାଥଙ୍କର ଦର୍ଶନାଭିଳାଷେ
ଆସୁଥିଲେ ଚାଲି କରି ।
ତୃଷାର୍ତ୍ତ ହୋଇ ସେ ପୁଷ୍କରିଣୀ ଦେଖି
ପାନ କଲେ ତହିଁ ବାରି ।୨।
ବିିକଚ କମଳ ଦରଶନେ ତହିଁ
ମନରେ କଲେ ବିଚାର ।
ଏ ଫୁଲକୁ ନେଇ ସଜାଇଲେ ପ୍ରଭୁ
ଦିଶିବେ କେଡେ ସୁନ୍ଦର ।୩।
ଶୀତଦିନେ କେବେହେଲେ ସହଜରେ
ପଦ୍ମଫୁଲ ନ ମିଳଇ ।
ସୁମରଣା କରି ଶ୍ରୀଜଗନ୍ନାଥଙ୍କୁ
ଫୁଲ ସେ ତୋଳିଲେ ଯାଇ ।୪।
ଫୁଲ ତୋଳି ନିଜ ଗାମୁଛାରେ ବାନ୍ଧି
ପହଞ୍ଚିଲେ ସିଂହଦ୍ଵାରେ ।
ଅନୁରୋଧ କଲେ ପଣ୍ଡାଙ୍କୁ ଲଗାଅ
ନେଇ ପ୍ରଭୁଙ୍କ ପୟରେ ।୫।
ଶୁଷ୍କ ପଦ୍ମଫୁଲ ମଇଳା ଗାମୁଛା
ଦେଖି ପଣ୍ଡା ଫିଙ୍ଗିଦେଲେ ।
ଫୁଲ ସବୁ ତଳେ ପଡିଲା ସେ ସାଧୁ
ଗୋଟାଇ ତାକୁ ରଖିଲେ ।୬।
ପଥଶ୍ରମୀ ସାଧୁ ମନୋହର ଦାସ
ବଡଛତା ମଠ ଠାରେ ।
କ୍ଳାନ୍ତ ଶ୍ରାନ୍ତ ହୋଇ ମୂର୍ଚ୍ଛିତ ହୋଇଲେ
ସେଦିନ ସେହି ରାତ
ିରେ ।୭।
ଗଜପତି ରାଜା ସ୍ୱପନେ ଦେଖିଲେ
ଜଗନ୍ନାଥ କହୁଛନ୍ତି ।
ଭକ୍ତ ଆଣିଥିବା ପଦ୍ମ ଫୁଲେ ବଡ-
ସିଂହାର କର ଝଟତି ।୮।
ପଦ୍ମ ଚାଉଳରେ କ୍ଷୀରି ଭୋଗ କରି
ବଞ୍ଚାଅ ସାଧୁ ଜୀବନ ।
ସ୍ୱପ୍ନାଦେଶ ପାଇ ରାଜା ଆଜ୍ଞା ଦେଲେ
ପଣ୍ଡାମାନଙ୍କୁ ତକ୍ଷଣ ।୯।
ଶୁଷ୍କ ପଦ୍ମଫୁଲ ସାଧୁଙ୍କଠୁ ଆଣି
ସେଦିନ ସେହି ରାତିରେ ।
ବେଶ କରାଇଲେ ପଣ୍ଡାମାନେ ଫୁଲ
ସତେଜ ହେଲା ସେଠାରେ ।୧୦।
ମାଘ ଅମବାସ୍ୟା ପରଠୁ ବସନ୍ତ-
ପଞ୍ଚମୀ ଦିନ ମଧ୍ଯରେ ।
ବୁଧବାର ଅବା ଶନିବାର ଦିନ
ପଦ୍ମ ବେଶରେ ଠାକୁରେ ।୧୧।
ସୁସଜ୍ଜିତ ହୋଇ ବଡସିଂହାରରେ
ଦେଇଥାନ୍ତି ଦରଶନ ।
ସୋଲର ତିନି ପାଖୁଡା ଥିବା ପଦ୍ମ
ଲାଗି ହୁଏ ତାଙ୍କୁ ଜାଣ ।୧୨।
କଦମ୍ବ ଫୁଲର କରପଲ୍ଲବରେ
ହସ୍ତ ଶୋଭା ପାଉଥାଏ ।
କ୍ଷୀରି ଓ ଅମାଲୁ ଏ ବଡସିଂହାର
ବେଶେ ଭୋଗ ହୋଇଥାଏ ।୧୩।
ବଡଛତା ମଠ ବେଶ ଭୋଗ ଖର୍ଚ୍ଚ
ସବୁ କରନ୍ତି ବହନ ।
ପରଦିନ ମଙ୍ଗଳ ଆଳତୀ ଯାଏଁ
ହୁଏ ଏ ବେଶ ଦର୍ଶନ ।୧୪।