କାବ୍ୟ ନାୟିକା
କାବ୍ୟ ନାୟିକା
କାବ୍ୟନାୟିକା ମୋ ରୂପସୀରାଧିକା
ମୁଁ କାବ୍ୟ ପୁରୁଷ ମଳୟ ଛୁଇଁ,
ପ୍ରୀତି ମଧୁଝରା ଅନୁପମା ପରା,
ଅନନ୍ତ ଆଶାର କିରଣ ନେଇ,
କୋମଳଗାନ୍ଧାର ରାଗଭିଜା ,
ପ୍ରଣୟାଭିସାରେ ଲାସ୍ୟମୟୀ ମୁଁ
କାବ୍ୟନାୟିକାର ରୂପସଜ୍ଜା ।
କାବ୍ୟ ନାୟିକା ମୋ ଚତୁରୀପ୍ରେମିକା
ଦିବ୍ୟ ଅନୁଭବ ସ୍ଵର୍ଗସୁଖର ,
ତା ଚନ୍ଦ୍ରିକା ତୋଳି ନୃତ୍ୟରତା ହୁଏ,
ସଂଚାରେ ସୌରଭ ଵର୍ଣ୍ଣବିଭାର
ଆଗମନେ ଦୂରଅନ୍ଧକାର,
ଚଟୁଳ ଇଙ୍ଗୀତ ମାନସ ମନ୍ଥନ
ହୃଦୟ ସାଗରେ ଉଠେ ଜୁଆର ।
କାବ୍ୟନାୟିକା ମୋ ସନ୍ତରଣକରେ
ଶବଦ ନଦୀରେ ଏକାକିନୀ,
ପ୍ରେମେଶ୍ଵରୀ ହୋଇ ଆଲିଙ୍ଗନକରେ
ନିର୍ଲିପ୍ତା ବାମା ସେ ଯଉବନୀ,
ବିଶ୍ୱାସ ପ୍ରତ୍ୟୟ ଅକୁଳାଣ,
ମୋ କାବ୍ୟନାୟିକା ଶୀତାର୍ତ୍ତବଶ୍ୟ
ସ୍ତମ୍ଭନ଼ ମୋହନ ଉଚ୍ଚାଟନ ।
କାବ୍ୟନାୟିକା ମୋ ପ୍ରେମରଯମୁନା
ହୋଇବହିଯାଏ କଳକଳ,
ବାସରରାତିରେ ରତିରେରୀତିରେ
ଋତୁର ତନୁ ତା ଝଲମଲ,
ଯେବେ ମଞ୍ଚରେ ସେ ଚ଼ଢେ,
ରସରେ ରାସରେ ପ୍ରଣୟ ରାଗରେ
ପକ୍ଷୀରାଜ ଘୋଡା ଦୌଡେ ।
କାବ୍ୟ ନାୟିକା ମୋ ଅମୃତଲୋଡ଼େ
ସର୍ବଦା ରହିବହୋଇ ଯୁବା,
ଦିବ୍ୟ ସୁଗନ୍ଧର ପୁଷ୍ପଟିଏ ସରି
ଉନ୍ମଦ ପ୍ରେମିକା ଅପରୂପା
ଲଳିତ ଲବଙ୍ଗଲତା ପରି
କୋମଳ ମଳୟସମୀରେ ଝୁଲିବ
ସାଜି ସରଗର ଅପସରୀ ।
କାବ୍ଯନାୟିକା ମୋ ଭାବରରସିକା
ଯୌବନେ ଧନୀ ଚାରୁହାସୀ
ରସବତୀ ବାଳା ମୋ ପ୍ରୀତିମଞ୍ଜୁଳା
କ୍ଷୀଣ କଟୀ ତନ୍ବୀ ମୃଦୁ ହାସୀ
ନିଶବ୍ଦ ଭାଷାର ଘୁଙ୍ଗୁର
ରାଗ ରୂପ ରସ ଗନ୍ଧବତୀ ସେ
ନିଶବ୍ଦ ଚୁମ୍ବନ ଓଷ୍ଠାଧାର ।
କାବ୍ୟନାୟିକାର ଆଖିରେ ମଧୁର
ସପନ ଗୋପନେ ରହିଛି ଭରି,
ଅମା ଅନ୍ଧାରେ ସେ ପ୍ରଦୀପ ଜାଳିଛି
ପୀରତି ନିଶାରେ ସାଜି ମୟୂରୀ,
ମଧୁ ମୂରୁଛନା ତୋଳେ ସୁର,
ଗାଉଛି ଯମୁନା କାବ୍ୟରେ ବେଦନା
ବହେ ପ୍ରେମ ମକରନ୍ଦ ଧାର ।
କାବ୍ୟନାୟିକା ପ୍ରେମେ ହେଲିବିକା
ଭୁଲିଛି ନିଜକୁ ପ୍ରିୟା ପାଇଁ,
ସେ ମୋ ଜହ୍ନରାତି ହୃଦୟସଂପତ୍ତି
ଶବଦ ନିଅଣ୍ଟ ହୁଏ ନାହିଁ,
ତା ବିନା ଲେଖନୀ ଅଟକେ,
କି କବିତା ଲେଖା ସର୍ଵଦା ପରୀକ୍ଷା
ଧୈର୍ଯ୍ୟ ଧରିବାକୁ ନୀରବେ ଶିଖେ ।
ମୋ କାବ୍ୟନାୟିକା ବିରହବିଧୁରା
କସ୍ତୁରୀମୃଗର ସମ଼ ଭ୍ରମେ,
ପୋହଳାଦ୍ବୀପର ରାଜକୁମାରୀ ସେ
ନିରତେ ପ୍ରବୃତ୍ତ ଗୃହକର୍ମେ,
ନାୟିକା ଜୀବନେ ସରସତା,
ଫେରାଇ ଆଣିବା କବୀତ୍ଵ ଭରିବା
କାବ୍ଯ ପୁରୁଷର ସାରବାର୍ତ୍ତା ।