ଆଶା
ଆଶା


ଆରେ, ସବୁ ବାହାରକୁ ଆସ,
ବନ୍ଦ କୋଠରୀରେ,
ନିଜକୁ ବନ୍ଦ କରି ଦିଅନା ।
ଏଇ ଦେଖ, କେମିତି
କଳା ହାଣ୍ଡିଆ ମେଘ,
ଘୋଟି ଆସିଲାଣି,
ଆଉ ଟିକେ ପରେ,
ବର୍ଷିବ ବୋଧ ହୁଏ ।
ନିରାଶାର ବନ୍ଦ କୋଠରୀରେ,
ଅଣନିଃଶ୍ୱାସୀ ହେବା ଅପେକ୍ଷା
ଟିକେ ଆଶାବାଦୀ ହେବା,
କିଛି ଖରାପ କଥା ନୁହେଁ ।
କିଛି କଥା ନାହିଁ,
ଯଦି ଏବେ ନ ବର୍ଷିବ,
ଟିକେ ଥଣ୍ଡା ଥଣ୍ଡା ପବନ
କିଛି ଶୁଦ୍ଧ ଅକ୍ସିଜେନ,
ପ୍ରାଣକୁ ତ ଶିତଳାଇ ଦେବ,
ଆଜି ନହେଲେ ନାଇ,
କେବେ ତ ବର୍ଷିବ ।
ଜୀବନଟା ତ,
ଛାଇ ଆଲୁଅର ଖେଳ,
ଆଶା ନିରାଶାର,
ମଝାମଝି ଠିଆ ହୋଇ,
ଦୋ ଦୋ ପାଞ୍ଚ ମଣିଷ,
ଭାବି ପାରେନା,
ନିକିତିର କେଉଁ ପଟ ଭାରି ।
ନିରାଶାର ଦଲଦଲରେ ଦବି ଯିବ
ଗୋଟିଏ ଜାଗାରେ ଅଟକି,
ଶୁଖି ଶୁଖି ମରିଯିବ, ଅଥବା
ଆଶାର ଡଙ୍ଗାରେ ବସି,
ଏକ ଅନିଶ୍ଚିତ ସୁଅରେ,
ଭାସି ଚାଲି ଯିବ ଆଉ ଦି ପାଦ,
ହେଲେ ତାର କିଛି
ଠିକ୍ ଠିକଣା ନାହିଁ !
କିଛି ସମ୍ଭାବନାର,
କୁଟା ଖିଅକୁ ଜାବୁଡି ଧରି
ଭରା ବୈତରଣୀ,
ପାର କରି ଯିବ ।
ନିର୍ଣ୍ଣୟ ତୁମର ବନ୍ଧୁ,
ଜୀବନର ପୁରା ଅବଧି ତ
କାଟିବାକୁ ହେବ,
ନା ଆଗରୁ, ନା ପରେ,
ଯିବା ପାଇଁ ଅନୁମତି ମିଳିବ ।
ଏଇ ଖେଳର ମଝିରେ,
ଖେଳ ଛାଡି ଯାଇ ପାରିବନି ।
ତୁମ ଉପରେ ନିର୍ଭର କରୁଛି,
କେମିତି ଖେଳିବ ତୁମେ,
ଆଶାବାଦୀ ହୋଇ,
ଜିତିବାର ଆଶାରେ ଖେଳିବ,
ନା’ ନିରାଶ ଖେଳାଳୀ,
ଧକେଇ ଧକେଇ ମୃତପ୍ରାୟ,
ଏଇମିତି ଘୁଷୁଡୁ ଥିବ ।