ବୈଶାଖ ଓ ପ୍ରେମ
ବୈଶାଖ ଓ ପ୍ରେମ
ବୈଶାଖର ଧୁଉ ଧୁଉ ଦିପହରେ
ସବୁ କିଛି ଜଳୁଛି ଯେମିତି,
ଜନପଦ, ନଗରର ରାଜରାସ୍ତା,
ବୃକ୍ଷର ପ୍ରତିଟି କୀଶଳୟ
ସବୁ କିଛି ଜଳିଯାଏ ଏଠି ।
ଜଳିଯାଏ ପଥିକର ପାଦ,
ତୁମେ କି ଜାଣିଛ ?
ତିଳେ ଧୁଆଁ ଦିଶେନି କେଉଁଠି,
ସମସ୍ତେ କିନ୍ତୁ ନୀରବରେ
ଜଳୁଛନ୍ତି ଏଠି ।
ଅଭିଯୋଗ କରିବେ ତ
କା' ପାଖେ କରିବେ ?
ପ୍ରକୃତିର ଧ୍ବଂସକରି
ନିଜକୁ କିପରି ବଞ୍ଚାଇ ପାରିବ !
ଶୁନ୍ ଶାନ୍ ରାଜରାସ୍ତା,
ସବୁ କିଛି ଆଉଜି ଯାଇଛି ସତେ,
ବନ୍ଦ କୋଠରୀର
ନିବୁଜ ଚାରି ଚୌହଦି ଭିତରେ,
ମୃଗତୃଷ୍ଣା ଭ୍ରମିତ କରିଦିଏ,
ଜନପଥ ପିଚୁ ସଡକରେ,
ଶିତଳତା ସ୍ୱପ୍ନ ଏଠି,
ଜଳିବାଟା ଚିରନ୍ତନ ସତ୍ୟ ଜୀବନରେ ।
ବୈଶାଖ ତ ବାହାନା କେବଳ,
ଦେହ ସିନା ଜଳିଯାଏ
ଧୁଉ ଧୁଉ ଜ୍ୱଳନ୍ତ ସୂର୍ଯ୍ୟ କିରଣରେ ।
ମନ କିନ୍ତୁ ଜଳିଯାଏ, ବିନା ନିଆଁ ବିନା ଧୁଆଁ
ଯେମିତି ସୂର୍ଯ୍ୟ ଜଳୁଥାଏ
ଦିନ ରାତି ଚବିଶ ପ୍ରହର,
ଅଗ୍ନି ଜଳୁଥାଏ ନିହାରିକା ଆଉ
ସମଗ୍ର ନକ୍ଷତ୍ର ମଣ୍ଡଳେ,
ଅଗ୍ନିର ଲେଲିହାନ ଶିଖାରେ ଶିଖାରେ
ବ୍ରହ୍ମାଣ୍ଡ ଜୀବନ୍ତ ଯେପରି ଜ୍ୱଳନ୍ତ ଭାଟିରେ ।
ଜଳିବା ହିଁ ଜୀବନ,
ଶରୀର ତ ଜଳିବାର ଇନ୍ଧନ କେବଳ,
ଜଳୁଛି ବୋଲି ତ ବଞ୍ଚିଛି
ବଞ୍ଚିବା ପାଇଁ ଜଳିବା ଜରୁରୀ ।
ପ୍ରେମ ଜଳେ, ଜାଳିଯାଏ ନିତି
ପ୍ରଣୟର ଅଗ୍ନି ବ୍ୟାପିଯାଏ
ହୃଦୟରୁ ଅନ୍ୟ ହୃଦୟକୁ,
ପ୍ରେମ ଯଦି କରିବାକୁ ମନ
ଜଳିବାକୁ ପ୍ରସ୍ତୁତ ରହିଥାଅ ସାଥୀ ।