ଭଡାଘର
ଭଡାଘର
ଭଡାଘର ମୋର ଦଦରା ହେଲାଣି
ମରାମତି ହେଉନାହିଁ,
ପୁରୁଣା ଘରକୁ ଛାଡିଯିବା ପାଇଁ
କିଛି ପାପ ଆଉ ପୂଣ୍ଯ ଗଣ୍ଠୁଲିରେ
ଗଣ୍ଠି ବାନ୍ଧି ସାରିଲିଣି,
ହେଲେ, ଛାଡିଯିବା ପାଇଁ, ଭଡାଘରକୁ ମୋ
ମନ ମୋର ମାନୁ ନାହିଁ ।
ବନ୍ଧୁ ପରିଜନ, ପାଖ ପଡିଶା ମୋ
ଚଉଦିଗେ ଘେରି ବସିଛନ୍ତି
ନଛାଡି ଯିବାକୁ ଜିଦ୍ କରୁଛନ୍ତି
ଭଙ୍ଗାଘର ମୋର ସଜାଡି ଦେବାକୁ
କେତେ ଯେ ଜତନ କରନ୍ତି ।
ନୁଆଘରଟିଏ ହୋଇନି ଯୋଗାଡ
ପୁରୁଣା କେମିତି ଛାଡିବି,
ଜଣା ନାହିଁ ମୋତେ ପୁରୁଣା ଛାଡିଲେ
କେଉଁ ଅଜଣା ରାଇଜେ ଯିବି ।
ଭୂଲି ହୁଏନାହିଁ ଏଇ ଘରଟିରେ
କେତେ ହସ ଲୁହ ଦେଖିଛି,
କେତେ ଯେ ବସନ୍ତ ପ୍ରଣୟର ରୁତୁ
ଏଇ ଘରେ ମୋର ଭୋଗିଛି ।
ମାୟା ସମୁଦ୍ରରେ ଦାରା ସୁତ ମେଳେ
କଟିଗଲା କାଳ କେତେ,
କାଳର ଗତିକୁ ଭୁଲିଗଲି ହେଳେ
ଭଡାଘରକୁ ମୋ ନିଜର ମଣିଲି
ମାଲିକାନାସତ୍ତ୍ବ ମିଳିଛି ସତେ ।
କେତେ ସାଙ୍ଗସାଥୀ କେତେ ହେଲେ ମିତ
କେତେଯେ ସଙ୍ଗାତ ଅନେକ ହିଂସୁକ,
ବଇରୀ ବି କିଛି ଅଳପ ନଥିଲେ,
ନିନ୍ଦୁକଙ୍କର ହିସାବ ମିଳେନି
ଆଉ ଥିଲେ କିଛି ପ୍ରଶଂସକ ।
ଘର ମାଲିକର ପିଆଦା ଆସିଛି
ଘର ଛାଡିବାକୁ ତାଗିଦା କରୁଛି
ଧରିନେବା ପାଇଁ ମାଲିକ ପାଖକୁ
ଯିଦ୍ ଧରି ସିଏ ବସିଛି,
ନୁଆ ଘରଟିଏ ଦେବ ବୋଲି କହି
କେତେଯେ ଫନ୍ଦିରେ କହୁଛି ।
ପୁରୁଣାକୁ ଛାଡି ଯିବି ନୁଆଘରେ
ସରିଲା ଏ ଘର ଖେଳ
ନୁଆ ପୁରୁଣାର ଅଦଳ ବଦଳେ
ଚାଲିଛି ସଂସାର ଖେଳ ।
