ପୁନଶ୍ଚ ଶୈଶବ
ପୁନଶ୍ଚ ଶୈଶବ
ଯୌବନର ରଙ୍ଗ ଖେଳି ଖେଳି
ଦିନେ ଅତିଷ୍ଠ ହୋଇଗଲି,
ସବୁଦିନ ପୁରୁଣା ରୁଟିନରେ ବନ୍ଧା
ଗୋଟିଏ ଅଲୋଡା ଜୀବନ,
ଜୀଇଁଜୀଇଁ ବୋର ହୋଇଗଲି ।
ବୋର ତ ହେବାକୁ ହିଁ ଥିଲା,
ଆଉ କେତେ ଦିନ ଯୌବନର ବୋଝ
ଗଧପରି ବୋହିଥାନ୍ତି?
ଅତଏବ ଯୌବନକୁ ବାୟ ବାୟ କହିଦେଲି ।
କ୍ଳାନ୍ତିକର ଦିବସ ରଜନୀ
କ୍ଲାନ୍ତହୀନ ଧାଁ ଧପଡରେ,
ଅହର୍ନିଶି ଘର ପରିବାରର,
ତେଲଲୁଣ ସଂସାର ଚିନ୍ତାରେ,
ଘରୁ ଅଫିସ୍, ଅଫିସରୁ ଘର,
ଖରାନାହିଁ ବର୍ଷା ନାହିଁ
ବିଶ୍ରାମହୀନ ବୈଶାଖର ଅପରାହ୍ନ
ଚଉଦିଗେ ଆପାଧପି
ବ୍ୟତିବ୍ୟସ୍ତ ମଣିଷ ଜୀବନ ।
ଶିର୍ଶକୁ ଛୁଇଁବାର ପ୍ରତିଯୋଗୀ ମେଳେ,
ବୋର ତ ହେବାକୁଇ ଥିଲା
ତେଣୁ ବୋର ହୋଇଗଲି,
ଅତଏବ ଯୌବନକୁ ବାୟ ବାୟ କହିଦେଲି ।
କେବେ ପ୍ରେମିକା ଭୂଲିଗଲା
କେବେ ପତ୍ନୀ ହାତଧରି ନେଲା,
ସଂସାର ନୌକାରେ ବସାଇ
ସମୟର ଉଥୁଳୁ ପୁଥୁଳ ବୈତରଣୀ ଧାରେ
ଜୀବନର ନାଆ, ପାର କରୁଥିଲା,
କେବେ ଗେହ୍ଲେଇ, କେବେ ଧକ୍କାମାରି
ଆଗକୁ ପେଲି ଦେଉଥିଲା ।
ବୁଲିବୁଲି ଦୁନିଆ ମେଳାରେ
ଦିନେ ବୋର ହୋଇଗଲି,
ବୋର ତ ହେବାକୁଇ ଥିଲା,
ଅତଏବ ଯୌବନକୁ ବାୟ ବାୟ କହିଦେଲି ।
ପରିବା ଝୁଡିରେ ସଢା ପିଆଜ ପରି
ପାକଳ ବୟସକୁ,
ଧୋଇଧାଇ ରିସାଇକ୍ଳିଙ୍ଗ କରିନେଲି
ଯୌବନକୁ ପଛକୁ ପେଲି
ଆଉଥରେ ସ୍କୁଲ ବୟ କିଶୋର ପାଲଟି ଗଲି ।
ବଡ ହାଲ୍କା ଲାଗୁଛି ମନ
ଶିଥିଳ ପଡିଆସୁଥିବା ଶରୀରରେ
ଆଉଥରେ ରୋମାଞ୍ଚର ଅନୁଭବ କଲି ।
ମୁଁ ସତେ କେତେ ଭାଗ୍ୟବାନ ଥିଲି,
ଅସମୟେ ଆଉଟ୍ ହେଉଥିବା
ବ୍ୟାଟ୍ସମ୍ୟାନଙ୍କ ଭିଡରେ
ଷାଠିଏ ପାର୍ ଖେଳାଳୀ ହେବାର
ସୌଭାଗ୍ଯ ପାଇଗଲି ।
ଜୀବନର ରେସରେ କେତେ ବନ୍ଧୁ
ଷାଠିଏ ରେଖା ଛୁଇଁ ପାରିଲେନି
ମୁଁ ଯେ ହାତ ଗଣତି
କିଛି ସଂଖ୍ୟାରେ ନିଜକୁ ଗଣିଲି
ମୁଁ ବିଜେତା ଥିଲି,
ଷାଠିଏର ରେଖା, ପାର କରିଗଲି ।
ସକାଳ ଓ ସଂଧ୍ୟା ବିତିଯାଏ
ପ୍ରାତଃ ଆଉ ସାଂଧ୍ୟ ଭ୍ରମଣରେ
ଅଳସ ଦିପହର ବିତିଯାଏ
କୁନି କୁନି ନାତି ନାତୁଣୀ ମେଳରେ ।
କେବେ ମନହେଲେ
ଦୁଇ ପଦ ବେସୁରା ସଂଗୀତ
ଗୁଣୁଗୁଣୁ ଗାଇଯାଏ
ଯେବେ ମନହୁଏ,
ନାତି ନାତୁଣୀଙ୍କ ସଙ୍ଗେବସି
ଆଡି ତେରେଛା ଗାରକାଟି
ଭଳି ଭଳି ଡ୍ରଇଁ ଆଙ୍କିଦିଏ ।
କେବେ ପାର୍କର ବେଞ୍ଚରେ
କେବେ ସାଇମୁଣ୍ଡ ଛକ ଚା ଦୋକାନରେ
ଗୁଲିଖଟ୍ଟି ମାରେ,
ନିଜ ନିରସ ଜୋକ୍ ରେ
ଦନ୍ତହୀନ ପାକୁଆ ପାଟିରେ
ଠହକା ଲଗାଇ ହୋ ହୋ ହସିଦିଏ ।
ରହିବାକୁ ଦିନେ ଫ୍ରେମଟିଏ ମିଳିଯିବ
ବଳକା ଜୀବନ ହସିଖେଳି କଟିଗଲେ
ଜୀବନର ଅସଲ ଅର୍ଥ ମିଳିଯିବ,
ବଞ୍ଚିବାର ରସାଳ ଉପଲବ୍ଧି
ଷାଠିଏ ରେଖା ପାର କରିବାରେ,
ଜୀବନର ଅସଲ ମଜା ଆସେ
ସୁସ୍ଥ ଶରୀରେ
ଜୀଇଁବାର ଆନନ୍ଦ ନେବାରେ ।
*0*