ସପନ
ସପନ
ପହିଲି ବର୍ଷାର ପହିଲି ଛୁଆଁ
ପୁଲକିତ ହୁଏ ତନୁମନ
ଭରିଯାଏ ମନେ ଅପୂର୍ବ ରୋମାଞ୍ଚ
ମତୁଆଲା ମନ ହୋଇଯାଏ
ଆତ୍ମ ବିଭୋର ଅସୁମାରୀ
ନୂତନ ଉଲ୍ଲାସେ
ଯେମିତ ଖୋଲିଯାଏ
ଫୁଲର ପାଖୁଡାସବୁ
ଚଗଲା ମଳୟ ଛୁଆଁରେ
କେବେ କେବେ ଝାଉଁଳି ଯାଏ
ଲାଜେଇ ପବନ ସ୍ପର୍ଶରେ
ଭାରି ଭଲ ଲାଗେ ଓଦା ମାଟିର ବାସ୍ନା
ପହିଲି ବର୍ଷାବିନ୍ଦୁର ଛୁଂଆରେ
ମହକି ମହକି ଯାଏ ଚଉଦିଗ
ଛୁଇଁ ଯାଏ ହୃଦୟ ତନ୍ତ୍ରୀକୁ
ପୁଣି ମନତଳେ ଲୁଚିଥିବା
ଗଭୀର ଇଚ୍ଛା ଆକାଂକ୍ଷାକୁ
ଥଣ୍ଡା ଥଣ୍ଡା ମୃଦୁ ମଳୟ
ପୁଣି ଖେଳାଏ କେତେ ଶିହରଣ
ମନେପଡେ ପିଲାଦିନ
ଭିଜିବାର ଖୁସି ଆନନ୍ଦ
ସାଥି ଗହଳରେ !
ଖୁବ ଆପଣାର ଏ ବର୍ଷା
ଭାରି ଆତ୍ମୀୟ, ଭାରି ଆପଣାର
ବୁଝିପାରେ ମନକୁ ମୋ
ଛୁଇଁପାରେ ମୋ ମନ
ଭଲପାଏ ନିବିଡ ଭାବେ
ମୁଁ ଚାହିଁ ଥାଏ ଅପଲକ ନୟନେ
ତା ଆସିବା ପଥକୁ
ଆଖିରେ ଆଖିଏ ବିଶ୍ୱାସ ନେଇ
ବର୍ଷା ଟୋପା ର ସ୍ପର୍ଶରେ
ନୂଆ ନୂଆ ଅନୁଭବ
ହୃଦୟ ତାନ୍ତ୍ରିରୁ ଝଙ୍କୃତ ହୁଏ
ନୂତନତ୍ୱ ର ଅପୂର୍ବ ମହକ !
