ବସନ୍ତ
ବସନ୍ତ
ବସନ୍ତ,,,,
🌹🌹🌹🌹🌹🌹🌹🌹
ଚୁପି ଚୁପି ପାଦ
ଥାପୁଛି ବସନ୍ତ
ଚୋରା ଚଇତାଳି ସାଥେ
ଲୁଚି ଲୁଚି ଛୁଏଁ
ଫାଜିଲ ଫଗୁଣ
ଅଳିର ତନୁକୁ ସତେ l
ଭୁରୁ ଭୁରୁ ବାସେ
ଆମ୍ବ ତୋଟାମାଳ
ବଉଳ ପେନ୍ଥି ସୁବାସେ
ଗୁଣୁ ଗୁଣୁ ଗାଏ
ରସିକ ଭ୍ରମର
ପ୍ରଣୟର ଅଭିଳାଷେ l
ଟହ ଟହ ନାଲି
ହଳଦୀ ଛିଟାରେ
କୃଷ୍ଣଚୂଡ଼ା ଫୁଲ ଡାଳେ
ଶହ ଶହ ଶବ୍ଦ
ହୁଅଇ ଉଦ୍ଭବ
ହୃଦୟେ ପୁଲକ ଖେଳେ l
କୂହୁ କୂହୁ ସୁରେ
ଫୁଲେଇ କୋଇଲି
ଲୁଚି ଲୁଚି ଗାଏ ଗୀତ
ଥୁରୁ ଥୁରୁ ଶୀତ
ଯାଏ ଅପସରି
ଅଭିସାରେ ଡାକେ ମିତ l
ଚୁପି ଚୁପି ଚୋରା
ମଳୟ ସହିତ
ବସନ୍ତ ଆସିଛି ଫେରି
ଟୋପି ଟୋପି ଶୁଭ୍ର
କାକର ବରଷା
ସରାଗେ ପଡୁଛି ଝରି l
ମହ ମହ ବାସେ
ଜୁଇ ଜାଇ ହେନା
ମଧୁ ମାଳତୀ କୁଞ୍ଜରେ
ଗହ ଗହ ନାଦେ
ବେଦ ଶ୍ଳୋକ ପାଠ
ଶୁଭେ ଦେଉଳେ ସଞ୍ଜରେ l
ଗୁରୁ ଗୁରୁ ଦେହ
ହଳଦୀ ଚନ୍ଦନ
ଶ୍ରୀରାଧା ମୋହିନୀ ବେଶ
ରୁଣୁ ଝୁଣୁ ଶୁଭେ
ପାଦର ନୁପୁର
କଳାକାହ୍ନୁ ପ୍ରୀତି ବଶ l
ଫୁରୁ ଫୁରୁ ଉଡେ
ଫଗୁ ଫଗୁଣରେ
ସପ୍ତ ରଙ୍ଗ ବୁଣିଦିଏ
ସୁରୁ ସୁରୁ ବହେ
ପବନ ତରଙ୍ଗ
ସ୍ୱାଗତ ସଙ୍ଗୀତ ଗାଏ l
ସୁଜାତା ଦାସ
ବାଲେଶ୍ୱର

