କେଡେ ଅମାନିଆ ସତେ ଏ ବରଷା
କେଡେ ଅମାନିଆ ସତେ ଏ ବରଷା

1 min

12.1K
କେଡେ ଅମାନିଆ ସତେ ଏ ବରଷା
ରିମିଝିମି ସୁରେ ସଙ୍ଗୀତ ଗାଇ
ଶରୀର ମନକୁ କରୁଛି ଚଗଲା
ପ୍ରୀତିର ଆବେଗେ ଭିଜାଇ ଦେଇ ।
ଧୀରେ ଛୁଇଁଦେଇ କହୁଛି କାନରେ
ସାଥି ବିନା ଏକା ଭିଜିବୁ କାହିଁ
ଦୁହିଁଙ୍କ ହୃଦୟେ ବିରହ ଯାତନା
ହରିନେବି ଆଜି କ୍ଷଣିକ ପାଇଁ ।
ବ୍ୟାକୁଳ ହୃଦୟ ଅଥୟ ଅଧିର
ପାଦ ସାଥେ ପାଦ ତାଳ ପକାଇ
ପ୍ରୀତିର ପୁଲକେ ନାଚିଯାଅ ଆଜି
ସ୍ମୃତିରୁ ବିସ୍ମୃତି ହୋଇବ ନାହିଁ ।
ହୃଦୟ ଭାବକୁ ନିରବ ଓଠରେ
ଆଙ୍କିଦିଅ ସବୁ ସୀମାକୁ ଡେଇଁ
ଲେଖିଦିଅ ଗୋଟେ ଅଭୁଲା କାହାଣୀ
ଆଖି ସାଥେ ଆଖି ମିଶେଇ ଦେଇ ।
ଗଢିଦିଅ ମନେ ବିରାଟ ମହଲ
ପ୍ରୀତିର ରଙ୍ଗରେ ରଙ୍ଗୀନ ହୋଇ
ଦୂରତ୍ୱ ବହଳ ଆସ୍ତରଣ ଚିରି
ପ୍ରୀତି ହସୁଥାଉ ଫୁଲେଇ ହୋଇ ।