ସଂସାର ବନ୍ଧନେ ବନ୍ଦୀ ଜୀବନ
ସଂସାର ବନ୍ଧନେ ବନ୍ଦୀ ଜୀବନ
ସ୍ଥୁଳ ଶରୀରରେ ସୂକ୍ଷ୍ମ ସତ୍ତାଟିଏ
ସଂସାର ବନ୍ଧନେ ବନ୍ଦୀ ଜୀବନ
ଜନମ ମରଣ ମଧ୍ୟରେ ଆୟୁଷ
ନିଃଶ୍ଵାସେ ବିଶ୍ୱାସ ପ୍ରତିଟି କ୍ଷଣ ।
ଛକି ଶୂନ ଖେଳ ପରି ଏ ଜୀବନ
ହାରିବା ଜିତିବା ତା'ର ଧରମ
ଉତ୍ଥାନ ପତ୍ତନ ଲାଗିରହିଥାଏ
ସତେ କି ଯେମିତି ବିଧି ନିୟମ ।
ସମୟ ସହିତ ତାଳ ଦେଇ ଚାଲେ
ସାଉଁଟି ଅନେକ ଅନୁଭୂତିକୁ
ଆଶା ଅଭିଳାଷ ସପନ ଆଦରି
ଓହ୍ଲାଇ ପଡ଼ଇ ଯୁଦ୍ଧ କ୍ଷେତ୍ରକୁ ।
ଦୁଃଖ ସୁଖ ଖେଳେ ଛକା ପଞ୍ଝା ଏଠି
ଜୀବନ ଭୁଲେନା ନିଜ ଅସ୍ତିତ୍ୱ
ଭାଗ୍ୟ ଡୋର ସାଥେ ଭାବ ଯୋଡିଦିଏ
ପରିସ୍ଥିତି କେବେ ଅଣଆୟତ୍ତ ।
ସ
ୁଖେ ଆତ୍ମହରା ଜୀବନ ଜଗତେ
ଗାଉଥାଏ ସ୍ନେହପ୍ରେମର ଗୀତ
ଝଡଝଞ୍ଜା ସହି ସମ୍ପର୍କ ମୋହରେ
ଚାଲୁଥାଏ ଚଲାପଥରେ ନିତ୍ୟ ।
ଅବଶୋଷ ଭରା ନିରାଶ ଜଞ୍ଜିର
ଜୀବନକୁ କରେ କେବେ ଜଟିଳ
ଉତ୍ସାହ ପ୍ରେରଣା ମିତ ସାଜି କେବେ
ନିରସ ପ୍ରାଣକୁ କରେ ଚଞ୍ଚଳ ।
ଷଡ଼ ରିପୁ ପରି ଆସକ୍ତି ଗହ୍ବରେ
ପତିତ ହୁଅଇ ଜୀବନ କେତେ
ରୋଗ ଶୋକ ବ୍ୟାଧି ଘଟାଏ ତା' ଅନ୍ତ
ବ୍ୟାକୁଳ ହୁଅଇ ଏ ମୁଢ ଚିତ୍ତ ।
ଜୀବନ ଅସ୍ତିତ୍ୱ ସଂସାରେ ଶାଶ୍ୱତ
ରକ୍ତ ମାଂସ ଦେହ ଠିକଣା ସାଜି
ଜନ୍ମ ମୃତ୍ୟୁ ମଧ୍ୟେ କର୍ମ ଧର୍ମ ବରି
ଯୁଝି ହୁଏ ମୋହ ମାୟାରେ ମଜ୍ଜି ।