ଆଖିରେ ଆଖିରେ
ଆଖିରେ ଆଖିରେ


କେତେ ଶବ୍ଦ ଲୁଚିଯାଏ ଅପ୍ରକାଶେ ଓଠର ବାରଣେ
ଆଖି କିନ୍ତୁ ହାରିଯାଏ ଲୁଚାଇବାକୁ ଭାବ ହୃଦୟରେ ।
ପ୍ରତିବିମ୍ବ ହୃଦୟର ଭାସିଉଠେ ଆଖିରେ ଆଖିରେ
ଚିହ୍ନା ପଡ଼େ ଅଚିହ୍ନା ମଣିଷ ସେଇ ଯୋଡିଏ ଆଖିରେ।
ବ୍ୟଥା ବେଦନା ଯେତେ ଫୁଟି ଉଠେ ଆଖିରେ ଆଖିରେ
ବୁଝିଦେଲେ ଏ ମନଟା ଭରିଯାଏ ଅବ୍ୟକ୍ତ କୋହରେ।
ଆଖିର ଇଶାରାରେ ମୋତେ କିଣିନେଲା ସମ୍ମୋହିତ କରି
ଭାରି ଗର୍ବ ଥିଲା ମୋତେ କେହି କେବେ ପାରିବେନି କିଣି ।
କେଜାଣି କେତେ ରାତି ପରେ ଶୋଇଥିଲି ନିଘୋଡ଼ ନିଦରେ
ଆଖିକୁ ମୁଁ କହିଥିଲି ଆସିବ ବୋଲି ତୁମେ ସପନ ଭିତରେ ।
ତୋ ଆଖିରେ ଚିକ୍ ମିକ୍ କରେ ଯେବେ ଜ୍ୟୋତି ଆନନ୍ଦର
ମୋ ମନରେ ଉଇଁ ଆସେ ତାରଫୁଲେ ଜହ୍ନର ଆସର ।
କହିଥିଲି କେତେ କଥା ତୁମକୁ ମୋ ଅବୁଝା ଆଖିରେ
ତୁମ ଆଖି ଚିହ୍ନିଲାନି ଭାଷା ଯେତେ ଅବ୍ୟକ୍ତ ଆଖିରେ ।