ଗୋଲାପ ରାଣୀ
ଗୋଲାପ ରାଣୀ


ମୋ ହୃଦ ରାଇଜ ଗୋଲାପ ରାଣୀ ତୁ
ମନକୁ ମୋହର ମୋହି ନେଇଛୁ
ତୋ ସପନ ବିନା ରାତି ମୋ ବିତେନା
ଏମିତି ପ୍ରେମରେ ବାନ୍ଧି ଦେଇଛୁ ।
ଗୋଲାପୀ ବସନେ କରୁଛୁ କିମିଆଁ
ଚଗଲା ମନ ମୋ ଚହଲି ଯାଏ
ତୋତେ ଦେଖିଦେଇ ପୁନେଇଁ ଜହ୍ନଟା
କାହିଁକି କେଜାଣି ଲାଜେଇ ଯାଏ ।
ଗୋଲାପୀ ଅଧର ମନ କିଣେ ମୋର
ହସରୁ ମୁକୁତା ସତେ କି ଝରେ
ତୋର ପାଶେ ବସି ଗପିବାକୁ ଭାରି
କେତେ ଯେ ଭାବନା ଜାଗେ ହୃଦରେ ।
ଗୋଲାପ ଅତର ମଖା ତୋ ଶରୀର
ମହକିତ କରେ ହୃଦୟ ମୋର
ତୋହରି ସାଥିରେ ଚାନ୍ଦିନୀ ରାତିରେ
ଗାଇଉଠେ ମନ ପ୍ରୀତିର ସ୍ୱର ।
ଗହଳ କେଶରେ ଗୋଲାପ ଫୁଲଟି
ଲାଗୁଥାଏ ଗୋରୀ ଭାରି ସୁନ୍ଦର
ଗୋଲାପ ବନରେ ପ୍ରୀତି ମଧୁ ପାଇଁ
ପ୍ରଜାପତି ମନ ହୁଏ ଅଧିର ।
ଗୋଲାପ ରାଣୀ ତୁ ଗୋଲାପ ବନର
ଗୋଲାପ ପରଶ ପାଇବା ପାଇଁ
ସାଜିଛି ଭ୍ରମର ହୃଦୟ ମୋହର
କଣ୍ଟାର ଆଘାତ ଯିବି ମୁଁ ସହି ।