ବିଡ଼ମ୍ବନା
ବିଡ଼ମ୍ବନା


ବିଡ଼ମ୍ବନା
ପ୍ରମୋଦ ପ୍ରଧାନ
ବିଡ଼ମ୍ବନା, ଭାଗ୍ୟକୁ, ପଚାରେ...
ମିଛର ଛାତିରେ ପ୍ରେମ-ପ୍ରୀତି କେତେଦିନ
ତିଷ୍ଠିପାରେ ?
ପ୍ରଶ୍ନ-ଉତ୍ତର ମଝିରେ
ପାଷାଣ ଛାତିରୁ
ଖାଲି ତାଜା ରକ୍ତ ଝରେ !
ଝରାଫୁଲ ଶେଫାଳୀ,
ସଞ୍ଜ ବୋଳେ ତା’ରେ ମହମହ ଯୌବନ,
ପାହାନ୍ତିଆ ତାରା ମୁହଁ ଦେଖି,
ରାତିର ତୃପ୍ତି-ଅତୃପ୍ତିରେ
ଯାଏ ସେ ତ ମଉଳି,
ନିରର୍ଥକ ଲାଗେ ତା’ର ସମ୍ପର୍କର ଚୌହଦୀ,
ରାତି ପାହିଯାଏ ସ୍ୱପ୍ନରେ ଭେଦିଭେଦି !
ଅସ୍ତିତ୍ୱର ଅସ୍ତଧାରେ
ଆଖି ଠାରେ ଯଦି ପ୍ରହେଳିକା,
କୁହୁଡ଼ିଆ ପାଚେରି ତଳେ
ରୁପାଜହ୍ନ ଆସି ଦିଏ ଦେଖା,
ସମୟର ପ୍ରତିବିମ୍ବ
ଟାଣିଦିଏ ପାପୁଲିର ଗାରେଗାରେ,
ହତଭାଗ୍ୟ ଅଶ୍ରୁଲେଖା !
ପ୍ରେମରେ ପ୍ରବଞ୍ଚନା,
ନିମିଷେ କରେ କେତେ ଆନମନା,
ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ
ବିଡ଼ମ୍ବନା ଆଉ ବିଡ଼ମ୍ବନା !
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****