ଓଠ... ଓଃ ଓଠ
ଓଠ... ଓଃ ଓଠ
ଓଠ... ଓଃ ଓଠ
ପ୍ରସନ୍ନ କୁମାର ସ୍ୱାଇଁ (କ୍ରାନ୍ତି)
ପୁରୁଷ ଓଠ : ନାରୀ ଓଠ
ସାତ ସିଂହର ଦମ୍ଭ
ସାତ ତାଳ ପୋଖରୀର ପଦ୍ମ ।
ସଦ୍ୟ ପଜିଆ କଟୁରୀ
ଉତ୍ଫୁଲ୍ଲିତ ନାଗୁଣୀର ଫଣା ।
ଆଞ୍ଜୁଳା ଆଞ୍ଜୁଳା ନୀରବତାକୁ
ବୈରାଗ୍ୟ ରଙ୍ଗର ଗାଉନ୍ ପିନ୍ଧେଇ
ବେଳେବେଳେ ସେଠି ନିଃଶ୍ୱାସ ଖୋଜେ
ଯାବତୀୟ କୋଳାହଳ ।
ଅତର ପରି ଉଡ଼ିଆସୁଥିବା
ବାସ୍ନାମାନଙ୍କର କଲୋନୀ
ସେଠି ଚିତ୍ର ପରି ଦିଶେ ।
ବେଳେବେଳେ ଶାଗୁଆ ପ୍ରତିଶ୍ରୁତିର ନକ୍ଷତ୍ର
ଧାଡ଼ିବାନ୍ଧି ପ୍ରାର୍ଥନା-ମନସ୍କ ।
କେବେ ମିଛ କଥା ମାନଙ୍କର
ସ୍ଲୋଗାନ୍ ଓହ୍ଲାଇଆସେ ସେଠୁ କରତାଳି ସହ ।
କଥା ଦେଉଥିବା ଓଠ
କଥା ରଖୁଥିବା ସିନ୍ଦୁକର କବ୍ଜାରେ ଚିରକାଳ ।
ଛୁଇଁଲେ ସାପର ଗର୍ଜନ
ନଛୁଇଁଲେ ଅଭିଳାଷର ଐଶ୍ୱର୍ଯ୍ୟ କି !
ଓଠ
ଯୋଜନ ଯୋଜନ ଦୂରତ୍ୱକୁ
ଆଣି ଠିଆ କରାଏ ଦୁଆର ଦରଜା ସାମ୍ନାରେ,
କେବେ ସେ ମେଘରାତି,
କେବେ ଫଗୁଣ ପାହାନ୍ତି !
କେବେ ମୁକୁଳିଯାଉଥିବା ସଂଜ
କେବେ ବନ୍ଧାପଡ଼ିଥିବା ସକାଳ !
କେବେ ଗର୍ଭବତୀ କରାଏ ଶ୍ଳୋକକୁ
କେବେ ଗର୍ଭପାତ କରାଏ ଶୋକର !
ନାରୀ ଓ ପୁରୁଷର ଓଠ ଭିତରେ
କିଛି ଫରକ ନାହିଁ
ଖାଲି
ପୁରୁଷର ଓଠ - ଓଠ
ନାରୀର ଓଠ - ଓଃ ଓଠ !
‘ଜୟ ଉତ୍କଳ’, ଜୋବ୍ରା
କଲେଜ ଛକ, କଟକ-୭୫୩୦୦୩
ଫୋନ୍-୯୪୩୯୨୫୪୪୭୦
*****