ଯାଯାବର ବର୍ଷା
ଯାଯାବର ବର୍ଷା
ଯାଯାବର ବର୍ଷା
ପ୍ରସନ୍ନ କୁମାର ସ୍ୱାଇଁ (କ୍ରାନ୍ତି)
ଆକାଶରୁ ମେଘ ଝରେ
ନା ମହ୍ଲାର ?
ଓଠରୁ କଥା ଝରେ
ନା କଦମ୍ବ ?
କିନ୍ତୁ ଝରିବାଟି ହିଁ ଜୀବନ
ଜୀବନଟା ହିଁ ଝରିବା
କେଉଁଠୁ ନା କେଉଁଠୁ
ଅନନ୍ତକାଳ !
ପଣତକାନିରେ ପୋଛିହୁଏ
ଆଖିର ନିବିଡ଼ତା,
ହେଲେ ପୋଛିହୁଏନାହିଁ
ଛାତିରୁ ଝରୁଥିବା
କୋହର ଆର୍ଦ୍ରତା ।
ପ୍ରଜାପତିମାନେ ଜାଣିଗଲେଣି
ଜହ୍ନରାତିରେ ଫୁଟୁଥିବା
ଫୁଲମାନଙ୍କର ଠିକଣା,
ଫୁଲମାନେ ଜାଣିଗଲେଣି
ଆକାଶର ବୁକୁ ଚିରି
କେମିତି ଛୁଏଁ ଆଞ୍ଜୁଳାଏ ଗଜଲ୍
ନର୍ତ୍ତକୀର ନାଭିର ଉଷ୍ମତା ।
କବି କ’ଣ ଜାଣେନାହିଁ
ଶ୍ରାବଣରେ କାହିଁକି
ବେଶି ଅନ୍ୟମନସ୍କ ହୁଏ
ତା ଆଖି ଓ ଆଖିପତା !
ଝରକା ସେପଟରେ
ବାସୁଛି ଯେଉଁ ଚେନାଏ କିରଣ
ସିଏ ବି ଓଦା ଜୁଡୁବୁଡୁ ହେବା
ନିୟତିର ନିୟମ
ରେ ଗଣା ।
କବିତାରେ ଯାହା ଝରୁଥାଏ
କିଛି କିଛି ଆଙ୍ଗୁଠି ସନ୍ଧିରୁ
କିଛି କିଛି ଶବ୍ଦର ସିନ୍ଥିରୁ
ଆଉ କିଛି କ୍ଷତାକ୍ତ ଇଚ୍ଛାରୁ,
ଠିକ୍ ମେଘ ପରି ତାକୁ
ନିଜର କରି ରଖିବା
ଗୋଟେ ନିଷ୍ଫଳ ପ୍ରାର୍ଥନା ।
ମେଘ ବି ଯୁଦ୍ଧ ପରି ।
ସଞ୍ଜଦ୍ଵୀପର ନିରୀହ ସଳିତାକୁ
ବେଳେବେଳେ ଶୋଷିନିଏ ପବନ
କେବେ ଧରାଶାୟୀ କରେ
ଯାବତୀୟ ସ୍ୱପ୍ନର ଭୂଗୋଳ,
ପରିଚିତ ଅଭାବ ପରି
ମେଘ ବି ବେଳେବେଳେ
ଖୁବ୍ ଦେହସୁହା ।
ସେ ଆସିବ, ଯିବ, ଝରିବ
ଛୁଇଁବ, ଅଦୃଶ୍ୟ ହେବ
କେବେ ମାଟିର ଯୋନିରେ
କେବେ ଆକାଶର ଜରାୟୁରେ
କେବେକେବେ କବିତାରେ
କେବେ କବିର ବାଟବଣା ହେବାର
ସୁନିଶ୍ଚିତ ବିଧିବିଧାନରେ
ହଁ,
ମେଘ ଗୋଟେ ଯାଯାବର ।
ସେ ଆସିବ, ଯିବ, ଝରିବ
ଛୁଇଁବ... ଅଦୃଶ୍ୟ ହେବ ।
‘ଜୟ ଉତ୍କଳ’, ଜୋବ୍ରା
କଲେଜ ଛକ, କଟକ-୭୫୩୦୦୩
ଫୋନ୍-୯୪୩୯୨୫୪୪୭୦
*****