ସଫେଦ୍ ଗାଲିଚା
ସଫେଦ୍ ଗାଲିଚା
ସଫେଦ୍ ଗାଲିଚା
ପ୍ରମୋଦ ପ୍ରଧାନ
ଆମ ସମ୍ପର୍କର ଦୋଛକିରେ
ଦେଉଳ ତୋଳିବାକୁ ଭାରି ଇଚ୍ଛା ମୋର
ଆଉ ପାରୁନି ଗୋ...
ଶ୍ୱାସରୁଦ୍ଧ ଏବେ ମୋ
ତାଜମହଲର ବାତାୟନ ।
ଚହଲା ପାଣିକୁ ଦର୍ପଣ କରି
ନିଜ ଆଖିରେ ବୁଣିବାକୁ ଭାବିଥିଲି
ତୁମର ସେ ପ୍ରତିଛବି,
ତା’ର ଅଙ୍କାବଙ୍କା ଢେଉରେ
ତୁମେ ପାଲଟିଗଲ ଧୂଆଁଧାର
ଗୋଟେ ଧୂସର ମରୀଚିକା ।
ଯାହାସବୁ ଘଟିଯାଏ
ଗହୀରି ଗୋଚରେ
କି ଅବା ଅଗୋଚରେ
ତାହାସବୁ କ’ଣ
ନିୟତିର ନିରୁତା ରୂପକଳ୍ପ ରୂପାୟନ ?
ରୁପାଜହ୍ନ ବି ପାଲଟିଯାଏ
ବେଳେବେଳେ
ନିର୍ବାସନର ରୂପଘେରା ରୁପେଲି ପାଖୁଡ଼ା,
ଭାବାନ୍ତରେ...
କି ଅବା କାଳାନ୍ତରେ...
ଇନ୍ଦ୍ରଧନୁର ରଙ୍ଗମଖା ଇନ୍ଦ୍ରଜାଲରେ ।
ତୁମ ଅଦୃଶ୍ୟ ଚୁମ୍ବନକୁ
ମାପକାଠି କରି
ବୁଣୁଛି ଏବେ ବେଣୁରେ ମୁଁ
ଗୋଟେ ସାତରଙ୍ଗୀ ନିର୍ବାକ୍ ଦହନର
ସଫେଦ୍ ଗାଲିଚା ।
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****