ଅକୁହା ଅଭିବ୍ୟକ୍ତି ===========
ଅକୁହା ଅଭିବ୍ୟକ୍ତି ===========
ଅକୁହା ଅଭିବ୍ୟକ୍ତି
===============
ସେମିତି ଅଛି ମୁଁ
ସେଇ ଦୋଛକିରେ
ତୁମେ ଗଲା ପରେ ପରେ
କାଳ ବୈଶାଖୀର
ଉତ୍ତପ୍ତ ଝାଞ୍ଜିରେ
ସବୁ ଦଗ୍ଧ ହେଲାପରେ l
ସ୍ମୃତି ଇଟା ସବୁ
ସାଇତି ରଖୁଛି
ଥାକ କରି ଯତନରେ
କାଳେ ତୁମେ କେବେ
ମାଗିବ ହିସାବ
ହୃଦୟର ଆବେଗରେ l
ଅଧାଭଙ୍ଗା ସେଇ
ହୃଦୟ ମହଲ
ଏବେ ବି ପଚାରେ ମତେ
ପ୍ରଶ୍ନର ଆଘାତ
ଅଦେଖା ଅକୁହା
କ୍ଷତାକ୍ତ ଏ ମନ କେତେ l
ଜଳୁଛି ଏବେ ବି
ମହାଦୀପ ସେଠି
ନୀରବରେ ଧିରେ ଧିରେ
ଗର୍ଭଗୃହ ମଧ୍ୟେ
ଶୂନଶାନ ଲାଗେ
ଅପ୍ରାପ୍ତିର ଆବେଗରେ l
ପୂର୍ଣ୍ଣାହୁତି ପରେ
ଯଜ୍ଞ ବେଦୀ ନିଶ୍ୱ
ପାଉଁଶର ଶୁଭ୍ର ସ୍ତୁପ
କେବେ ଲାଗେ ପ୍ରୀତି
ପୂଣ୍ୟ ବୈତରଣୀ
କେବେ ଲାଗେ ମହାପାପ l
କହିବାର ପାଇଁ
ଶବ୍ଦ ତ ଅନେକ
ଓଠରୁ ପଛକୁ ଫେରେ
ନ କହି ହୃଦୟ
ଲୁହେ ଭିଜିଯାଏ
ଦୀର୍ଘଶ୍ୱାସ ଖାଲି ଭରେ l
ହୃଦୟ କାନ୍ଥରେ
ଅସ୍ପଷ୍ଟ ରଚନା
ରଙ୍ଗ ଲାଗେ ଫିକା ଫିକା
କେବେ ଗୁଞ୍ଜରିତ
ପ୍ରୀତିର ରାଗିଣୀ
କେବେ ଲାଗେ ଖୁବ ଏକା l
ମାନ ଅଭିମାନ
ଅଭିଯୋଗ ନାହିଁ
ନାହିଁ ଆବେଗର ଢେଉ
ଅକୁହା କାହାଣୀ
ହୃଦୟ ମହଲେ
ସେମିତି ଗୋପନେ ଥାଉ l
ସୁଜାତା ଦାସ
ବାଲେଶ୍ୱର

