ନିଷ୍ଠୁର ପ୍ରିୟତମ
ନିଷ୍ଠୁର ପ୍ରିୟତମ


ଭଙ୍ଗା ଆଇନାରେ ମୁହଁକୁ ଦେଖିଲେ
ମୁହଁଟା ଲାଗୁଛି ମିଛ
ଆଲୁଅ ଅନ୍ଧାର ଦୁନିଆ ଖେଳରେ
କିଏ ଆଗ କିଏ ପଛ ।
ଆଇନା ଆଖିରେ ଲୁହର କାହାଣୀ
ଟୁକୁରା କାଚରେ ଲେଖା
କିଏ ଭାଙ୍ଗିଥିଲା ହୃଦୟ କାଚକୁ
ହୋଇକି ପାରିବ ଯୋଖା ?
ଆଖିର ସପନ ଆଖିରେ ଗୋପନ
ମନ ଫାଙ୍କ ତଳେ ଦିଶେ
ମରମ ବେଦନା କାଚକି କହିବ
ମୁହଁକୁ ଦେଖିସେ ହସେ ।
ଅଜବ ଦୁନିଆ ଗଜବ ସମୟ
ନିୟତିର ପରିହାସ
କାହା ପାଇଁ ସଜା ଫୁଲର ପାଲିଙ୍କି
କାହାର କାହାଣୀ ଶେଷ ।
କାଚ ଖଣ୍ଡ ଧରି ରାଧିକା ଦେଖୁଛି
ହୃଦୟର ଅବଶେଷ
ଲୁହ ଢଲଢଳ ଆଖିର କୋଣରେ
ଛାତି ତଳେ ଦୀର୍ଘଶ୍ଵାସ ।
ଉଜୁଡା ଯମୁନା ଘାଟର ଚାନ୍ଦିନୀ
ନିଛାଟିଆ ଜହ୍ନରାତି
ହସଫୁଲ ଝରେ ବଧୁଲି ଓଠରୁ
କିଏ ହେବ କାହା ସାଥି ।
ଖିଲି ଖିଲି ହସେ ଆଇନା ର କାଚ
ଅନ୍ଧାରକୁ କରି ପଛ
ରାଧିକା ମଥାର ସିନ୍ଦୂର ରେ ଲେଖା
କେତେ ସତ କେତେ ମିଛ ।