ରାଧା ହେବା ପରେ
ରାଧା ହେବା ପରେ
ପଦଚିହ୍ନ ଛାଡ଼ିଦେଇ ସ୍ମୃତିର ବେଳାରେ
ସମୟ ଫେରାର
ଚର୍ଚ୍ଚା ର ଜୁଆରରେ
ଅସୁମାରୀ ପ୍ରଶ୍ନ
ମତେ ଆଉ ମୋର ସ୍ଥିତି କୁ ନେଇ
ମୁଁ ଜାଣେ ତମେ ଏବେ ଖୁଵ ଖୁସି
ମୋର ଏଇ ସ୍ବେଚ୍ଛାକୃତ ଏକାନ୍ତ ବାସରେ ,
ନିର୍ଦ୍ୱନ୍ଦ ରେ ମୁଠାଇ ଚାଲିଛ
ଭାଗ୍ୟ , ଭବିଷ୍ୟ ର ଉପଲବ୍ଧି ସବୁ
ଏଡାଇ ଚାଲିଛ --
ଜଣା ଅଜଣା ପ୍ରଶ୍ନ ସବୁକୁ
ଯେହେତୁ ଉତ୍ତର ଦେବାକୁ
ପରିଚିତ ଶବ୍ଦ କିଛି ନାହିଁ
ଏବେ ତୁମ ପାଖରେ ।
ନିଜକୁ ଲୁଚାଇ ରଖିବାର
ଏ ଯେଉଁ ବ୍ୟର୍ଥ ପ୍ରୟାସ ,
ଏକାକିତ୍ୱ ଲୋଡୁଥିବା
ବିଦଗ୍ଧ ପ୍ରହର ,
ତୁମେ ହିଁ ତ ପ୍ରଚ୍ଛନ୍ନ କାରଣ ସବୁର ,
ଯେତେ ଅବସାଦ
ସ୍ଥବିର ଅସହାୟତା
ପ୍ରତିଥର କ୍ଷତ ବିକ୍ଷତ ହେଉଥିବା
ଚିନ୍ତା , ଚେତନାର ବିଖଣ୍ଡିତ ଅଂଶ
ବିକ୍ଷିପ୍ତ ଆର୍ତ୍ତି ର
ବ୍ୟାକୁଳ ଚିତ୍କାର ।
ନୀଳ ମୋହର ମୁଗ୍ଧ ପ୍ରେମରେ
ଲୁବ୍ଧ ପ୍ରଜାପତି ପରି
ଧାବମାନ ଅସ୍ତିତ୍ଵ ମୋ
ଏବେ ତ୍ରିଶଙ୍କୁ ଭାବରେ
ଧରିତ୍ରୀ ଓ ଆକାଶ ର ମିଳନ ସ୍ଥଳ ରେ ,
ସବୁକିଛି ଠିକନାହିଁ ଏବେ ଆଗପରି
ସମ୍ପର୍କର ପରିବର୍ତ୍ତିତ ସଂଜ୍ଞା
ତୀର ସମ ବିଦ୍ଧ କରେ
ମୁହୂର୍ତ୍ତର ଆବରଣ ଚିରି,
ଟୋପାଏ ଅଶ୍ରୁରେ
ମୁଁ ଝରାଉଛି ଗତାୟୁ ଅତୀତର
ସ୍ବର୍ଣ୍ଣିମ ସଂଗୀତ
ମୋ ସହିତ ଏକାକାର
ପ୍ରିୟ ଲାଗୁଥିବା ଆକାଶେ ନୀଳ ନୀରବତା
ଓ ଅଖଣ୍ଡ ଶୁନ୍ୟତା
ତୁମ ଅବର୍ତ୍ତମାନରେ
ମୁଁ ଏବେ ସାଜିଅଛି
ନୀଳ ନିର୍ବାସନ ଭୋଗୁଥିବା
" ଦେବୀ " ପରି
ଏକ "ନିଃସଙ୍ଗ ଈଶ୍ୱରୀ " ।