ସ୍ମୃତିର ଝରକା ଡେଇଁ
ସ୍ମୃତିର ଝରକା ଡେଇଁ
ସ୍ମୃତି ଝାଉଁବଣ ଜୁଆରିଆ ମନ ମର୍ମରିତ ପଦଚିହ୍ନ
ବିକ୍ଷୁବ୍ଧ ବେଦନା ଆହତ ବାସନା ଏବେ ଖାଲି ଶୂନ୍ୟସ୍ଥାନ
ଚୂତ ବକୁଳ ରେ ମୃଦୁ ସୁରଭିରେ ଏ କେଉଁ ଅବୁଝା ରାଗ
ମନ ବଡ଼ବାଗ୍ନି ତିଳେ ତିଳେ ଭାଙ୍ଗି ହୃଦୟରେ ଦେଲା ଦାଗ ।
ସାଗରେ ଅଧିର ଉତ୍ତାଳ ବୀଚି ର ତନ୍ମୟ ନର୍ତ୍ତନ ଭଙ୍ଗୀ
ମିଳନ ଅଧିରା ବିରହ ବିଧୁରା ଖୋଜେ କେଉଁ ଏକ ସଂଗୀ ।
ମେଣ୍ଟେ ନାହିଁ ତୃଷା ଅନନ୍ତ ପିପାସା ପ୍ରେମ ର ବିଚିତ୍ର ରୀତି
ପାଇଥିଲେ ନାହିଁ ଖୋଜୁଥିଲେ ପାଇ ଦୁରେ ଥିଲେ ବଢେ ପ୍ରୀତି ।
ଅଲେଖା ଅକ୍ଷର ପଲକ ତଳର ବସନ୍ତ ବାସନ୍ତୀ ଋତୁ
କେତେ ଫୁଲ ଫୁଟେ ଫୁଟି ତଳେ ଲୋଟେ ଅଜଣା ସୁର ର ଗୀତୁ ।
ଆନମନା ମନ ଏବେ ବି ଉନ୍ମନ ସ୍ମୃତି ଅରଣ୍ୟରେ ହଜେ
ପରିଚିତ ପ୍ରେମ ସମ୍ପର୍କ ପୃଷ୍ଠା ରେ ଏବେ ବି କାହାକୁ ଖୋଜେ ।
ସମୟ କାନ୍ଥରେ ମିଛ ଭ୍ରମ ତୋଳେ ପୂର୍ବ ରାଗ ଅନୁରାଗ
ଏବେ ମଧ୍ୟ ପ୍ରେମ ଏକ ପ୍ରଶ୍ନଚିହ୍ନ ହୃଦ -ତଳ ମିଠା ଦାଗ ।