ଅଧରାମୃତ
ଅଧରାମୃତ


ମଲ୍ଲୀ ମହକରେ କେତକୀ ସୁବାସେ
ଅମୋଦିତ ଶରତ ରଜନୀ
ଦିଗବଳୟର ଆଭାରେ ଚାନ୍ଦିନୀ ଜ୍ୟୋସ୍ନାରେ
ପରିପ୍ଳୁତ ବୃନ୍ଦାବନ ବନାନୀ ।।
ରକ୍ତିମ ଅଧରରୁ ତୋଳନ୍ତି ଶ୍ୟାମ
ମଧୁର ବଂଶୀର ମୂର୍ଚ୍ଛନା
ଶତ କଦମ୍ବର ରୋମାଞ୍ଚ ଅପୂର୍ବ ଶିହରଣ
କାମାର୍ତ୍ତେ ଜଳନ୍ତି ଗୋପଙ୍ଗନା ।।
ଆହା କି ଆକର୍ଷଣମୟ କି ଚିତ୍ତଲୋଭା ମନଲୋଭା
ସ୍ୱର ସେ ଅବା କନ୍ଦର୍ପ ଶର
ଅସଂଯତେ ଅନିୟନ୍ତ୍ରିତେ ଗୋପୀଙ୍କ ଶୁଭାଗମନ
ରାସ ନୃତ୍ୟର ମାଧୁର୍ଯ୍ୟ ଅବସର ।।
ନୀଳକଇଁର ଭୁରିଭୁରି ବାସ୍ନା କୁମୁଦିନୀଙ୍କ ପାଖୁଡା ମେଳନା
ଗୋପୀଙ୍କ ହୃଦେ ମହାତ୍ସବ
ମଧୁର ମୁରଲୀ ଆହ୍ୱାନେ ସ୍ନେହାର୍ତ୍ତେ ଆସନ୍ତି ଗୋପିଏ
ଘେନି ପ୍ରେମ ସମ୍ଭୋଗର ଭାବ ।।
ଶ୍ରୀ ଅଙ୍ଗେ ଚୂମ୍ବନ କଳେବର ଆଲିଙ୍ଗନ
ଝରେ ପ୍ରେମର ଅଜସ୍ର ବନ୍ୟା
ଗଭାରୁ ଫୁଲ ଖସା କଟିରୁ ପାଟି ହୁଗୁଳା
ସଂଜ୍ଞାହୀନ ପ୍ରାୟ ଲଳନା ।।
ମଧୁବନ ଶୋଭନେ ପ୍ରିୟତମାଙ୍କ ଗହଣେ
କାହ୍ନୁ ଯେ ଭାବରେ ବିହଳ
କଅଁଳ କଦମ୍ବ ମୂଳେ ରୁଷି ବସିଛନ୍ତି ରାଧେ
ଗଢି ପ୍ରୀତିର ଦେଉଳ ।।