STORYMIRROR

Dr Baman Chandra Dixit

Abstract Romance

4  

Dr Baman Chandra Dixit

Abstract Romance

ଜହ୍ନ ହସୁଛି

ଜହ୍ନ ହସୁଛି

1 min
547


ନୀଳ ନଭ ତଳୁ     ସନୀଳ ସଲ୍ଲୀଳେ 

     ନିଜ ଛବି ନିଜେ ଦେଖୁଛି,

ରୁପା ଦେହୀ ଜହ୍ନ      ସରସୀ ଅଇନା 

     ଅନେଇଁ ଅନେଇଁ ହସୁଛି।


ମୁକୁଳା ମୁକୁଳା      କୌମୁଦି କୁନ୍ତଳା

      ଶୀତଳ ଶାନ୍ତ ପ୍ରଗଲ୍ଭା

କ୍ଳାନ୍ତ ଗମନା         ଶ୍ରାନ୍ତ ଆନମନା

      ଅବୋଧ ଶୀତ ସୌରଭା,

      ଆଭା ଅଲିଭା ଭାସୁଛି।

ରୂପା ଦେହୀ ଜହ୍ନ       ସରସୀ ଅଇନା

      ଅନେଇଁ ଅନେଇଁ ହସୁଛି।।


କଳ୍ପନା ନାୟିକା        ସପନ ଶାୟିକା

       ଶୀତଳ-କରା ମଧୁରା

ମତି ପ୍ରୀତିଦାୟୀ       ମୌନୀ ମାନମୟୀ

        ବିଦଗ୍ଧ କ୍ଲେଶାପହାରା

        ରକ୍ତୋତ୍ପଳେ ପ୍ରକାଶୁଛି,

ରୁପା ଦେହୀ ଜହ୍ନ        ସରସୀ ଅଇନା

       ଅନେଇଁ ଅନେଇଁ ହସୁଛି।।


କାୟା ହିମଶୁଭ୍ର         ଛାୟାଛବି ଅଭ୍ର

        ମାୟା ମୋହିନୀ ମାଦକ

କାବ୍ୟ ଉପମାନ         କବି ମନ ମଗ୍ନ

         କାମ କାମନୋଦ୍ଦିପକ

         ପ୍ରୀତି ପ୍ରଖର ଖୋଜୁଛି।

ରୁପା ଦେହୀ ଜହ୍ନ        ସରସୀ ଅଇନା

        ଅନେଇଁ ଅନେଇଁ ହସୁଛି।।


ଆବେଗ ପ୍ରବାହ       ସମ୍ବେଦନା ମୋହ

         ପୀରତି-ସିକ୍ତ ସିତ୍କାର

ଆସକ୍ତ ଆମୋଦ         ଅଲବ୍ଧ ପ୍ରମୋଦ

         ଉଦ୍ଭବି ଆଶା ଅଙ୍କୁର।।

         ପ୍ରେମ ପରାଗ ଖସୁଛି,

ରୂପାଦେହୀ ଜହ୍ନ         ସରସୀ ଅଇନା

        ଅନେଇଁ ଅନେଇଁ ହସୁଛି।।


ପ୍ରେମର ସମ୍ବାଦ         ପ୍ରୀତି ଅନୁବାଦ

        ଯତି ପାଦ , ରତି ଛନ୍ଦ

ଜାମିନୀ ଯମକ         ଉପମା ଅନେକ

       ଅଳଙ୍କୃତ ତାରା ବୃନ୍ଦ

       ମଧୁ ମିଳନେ ରସୁଛି।।

ରୁପା ଦେହୀ ଜହ୍ନ         ସରସୀ ଅଇନା

       ଅନେଇଁ ଅନେଇଁ ହସୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract