STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ତୁମେ ମୁଁ(୪)

ତୁମେ ମୁଁ(୪)

1 min
14

ତୁମେ କିବା ସେହି ବାଳୁତ କାଳର

ଖେଳ ଚକାଚକା ଭଉଁରୀ ଗୀତ,

ମାଆ କୋଳେ ଥାଇ ଗୀତ ଶୁଣୁଶୁଣୁ

ଆକାଶରୁ ଜହ୍ନ ତୋଳିବା ହାତ।

ଧୋ ରେ ବାଇଆ ଧୋ କିବା ତୁମେ

ଢଗ ଢମାଳିର ଗାଉଁଲି ତାନ,

ଢ଼ିଙ୍କିର ଉପରେ ଦି ସାଉତୁଣୀ 

ଖାଉଥିଲେ ଯେବେ ବଙ୍ଗଳା ପାନ।

ଅବା ବୁଢ଼ୀମାଁ ର ପାକୁଆ ପାଟିର

ଖଇରୀ ପାନର ନାଲିଆ ରଙ୍ଗ,

ଓଠ ତଳୁ ଖସିଆସିଥିବା ବେଳେ

କାନି ପଣତରେ ପୋଛିବା ଢଙ୍ଗ।

ଅବା ତୁମେ କେଉଁ ଶାଶୁର ଗଞ୍ଜଣା

ବହୁ ର ହୃଦୟ ତଳର ବ୍ୟଥା,

ସାତ ଭାଇଙ୍କର ଏକଇ ଭଉଣୀ

ତପୋଇ ର ସେ କରୁଣ କଥା।

ଭୁଆଶୁଣି ମେଳ ଗାଆଁ ନଈ କୂଳ

ତୁଠ ପଥରରେ ଗୋଇଁଠି ଘଷା,

କାଖ କଳସୀର ଛଲକା ପାଣିରେ

ଓଦା ପିନ୍ଧାବାସ ପଣତଖସା।

କଳସି ନିଗିଡ଼ା ପାଣି ଖସି ଆସି

ଲଙ୍ଗଳା ପାଦରୁ ତଳକୁ ଖସେ,

ଅଳତାର ନାଲି ରଙ୍ଗେ ନଈ ବାଲି

ଲାଖିକି ଅଲେଖା କବିତା ଲେଖେ।

ସୂରୁଜ ଡୁବିଲେ ଆକାଶରେ ଯେବେ

କୁନିକୁନି ତାରାଫୁଲଙ୍କ ମେଳ,

ଅବା ମିଞ୍ଜିମିଞ୍ଜି ସଞ୍ଜ ସଳିତା ରେ

ଖଞ୍ଜା ଆଳୁଅର ସାଜସମ୍ଭାର।

ଅବା ତୁମେ କେଉଁ ମନ୍ଦିର ବେଢ଼ାର

ସାନ୍ଧ୍ୟ ଆରତୀର ଘଣ୍ଟା ଶବଦ,

ସଡ଼କ ସେପଟ କିଆବୁଦା ମୁଳୁ

କୋକିଶିଆଳି ର ହୋ କେ ହୋ ନାଦ।

ପ୍ରାଚୀ ପ୍ରାଙ୍ଗଣର ରୂପାଦେହୀ ତୁମେ

ଜୋଛନା ବିଛେଇ ବସିଛ ଏକା,

ଆସ ଗୋ ଓହ୍ଲେଇ ମୋ ମନ ଆକାଶେ

ମୁଁ ତୁମ କବି ତୁମେ ମୋ କବିତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance