କଳାଜହ୍ନ
କଳାଜହ୍ନ
ଭରିଆସେ ଆଖି ଝରିଆସେ ଲୁହ
ପୁରିପୁରି ଆସେ ମନ ,
ସାରା ସଂସାରକୁ ପାଶୋରି ଯାଏ ମୁଁ
ଦେଖିଦେଲେ କଳାଜହ୍ନ ।।
ନାଲି ଅଧର ତୋ ମଧୁରେ ମୋହୁଛି
ହେଲେ ହଲୁନାହିଁ ତିଳେ
ତଥାପି ଲାଗୁଛି ହସୁଛୁ ଯେମିତି
ଚାହିଁଦେଲେ ଯେତେବେଳେ
ଶାନ୍ତ ହୋଇଯାଏ ଅଶାନ୍ତ ଚିତ୍ତ ମୋ
ଦେଖିଦେଲେ କଳାଜହ୍ନ ।।
ଜାଣିପାରୁ ସବୁ ମନତଳ କଥା
କି କଥା କହିବି ଆଉ
ଯେତେ ଯାହା ଯା'ର ଯେବେ ଦରକାର
ସବୁ ଖଞ୍ଜି ଦେଇଥାଉ
ମାଗୁଣି ଏତିକି ଚରଣ କତିକି
ନେଇ'ଯା ରେ କଳାଜହ୍ନ ।।
ନ'ମାଗି ପାଇଛି ଯେତେ କ୍ଷିତିପତି
ତହିଁକୁ ଯୋଗ୍ୟ ମୁଁ ନୁହେଁ
ତଥାପି ବିକଳେ ଡାକେ ମୁଁ ଆକୁଳେ
ଯେବେ ହନ୍ତସନ୍ତ ହୁଏ
ଅନୁଗତ ଜାଣି କ୍ଷମ ଚକ୍ରପାଣି
ଶିରୀକ୍ଷେତ୍ର କଳାଜହ୍ନ ।।
