ଛାଇଆଲୁଅର ଖେଳ
ଛାଇଆଲୁଅର ଖେଳ
ଏହି ଜୀବନଟା ନୁହେଁ ଖାଲି ଅତି
ପ୍ରୀତି ପୁଲକ ପୁରିତ ଗୀତଟିଏ।
ମନକଥା ଜାଣି ମନ ମୋହିନେବା
ସମ୍ମୋହନ-ଲିପ୍ତ ମନ ମିତଟିଏ।
ଏହି ଜୀବନଟା ।
ଏଠି ଅନେକ ଆତଙ୍କ ବେଦନାର,
ଅତି ଆତୁର ବ୍ୟଥିତ ଛାତି ତଳେ।
ଦେହେ ଦେହେ ସନ୍ଦେହର ଦାହ ବହି
ପ୍ରୀତିପୟପାତ୍ରେ ପ୍ରତାରଣା ବୋଳେ।
ଭଗ୍ନ କୋଣାର୍କରେ ନଗ୍ନ ନାୟିକାର
ନିହାଣ ଲେଖା ନିଖୁଣ ଚିତ୍ରଟିଏ।
ଏହି ଜୀବନଟା ।
କେବେ ଆଲୁଅର ରୂପେଲୀ ଝଲକ
ପଲକ ଉଠେଇ ଆଖି ଚାହିଁଥାଏ।
ରଙ୍ଗ ମନଲୋଭା ତରଙ୍ଗୀତ ଆଭା
ବିଲୋକିତେ ମତି ତୃପ୍ତିପ୍ରାପ୍ତ ହୁଏ।
କେବେ ଅଭିଶପ୍ତା ପାଷାଣି ଅହଲ୍ୟା
କେବେ ସ୍ପର୍ଶକୁ ଶ୍ରୀରାମ ପାଦଟିଏ।
ଏହି ଜୀବନଟା ।
କେବେ ଶ୍ରାବଣ ସୂରୁଜ ଫିକାଫିକା
କେବେ ଶପ୍ତରଙ୍ଗେ ଲେଖା ଇନ୍ଦ୍ରଧନୁ।
ଆକାଶର ଛାଇ ଘୁଞ୍ଚି ଲୁଚିଯାଏ
ପ୍ରଶମିତ ତାପ ଗୁପ୍ତ ଅସ୍ତଭାନୁ।
ଅବା ମନ୍ଦହାସୀ ପ୍ରିୟା ମଦାଳସୀ
ରଙ୍କା ଆକାଶର ବଙ୍କା ଜହ୍ନଟିଏ।
ଏହି ଜୀବନଟା ।
ଛାଇଆଲୁଅର ଏକୀକୃତ କାୟା
ଜୀବନର ଏହି ଏକ ପରିଭାଷା,
ଆଶା-ନିରାଶାର ପ୍ରାପ୍ତି-ପିପାଷାର
ସ୍ଥିତି-ବିଚ୍ୟୁତିର ଆତ୍ମ-ଅଭିଳାଶା।
ତୃପ୍ତି-ଲାଳସାର ସୀମାରେଖା ପର
ମୃତ୍ୟୁ ଅନ୍ତେ ଅସ୍ତିତ୍ୱର ରୂପଟିଏ।
ଏହି ଜୀବନଟା ।